ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ସଫେଇ ରଖିଲା ବିଜେଡି : କହିଲା, ବିଜେଡି ଓ ଜେଡିୟୁ ସମଭାବାପର୍ଣ୍ଣ ଦଳ, ମୂଳ ଆଦର୍ଶରେ ଉଭୟଙ୍କ ରହିଛି ସମାନତା

89

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ଓ ଜେଡିୟୁର ମୂଳ ଆଦର୍ଶ ପ୍ରାୟତଃ ସମାନ ଓ ଜୟପ୍ରକାଶଙ୍କ ଆନ୍ଦୋଳନ ସମୟରୁ ଏହି ଆଦର୍ଶ ରହିଆସିଥିବାରୁ ହରିବଂଶ ନାରାୟଣ ସିଂଙ୍କୁ ଦଳ ସମର୍ଥନ କରିବ ବୋଲି ସେ କହିଛନ୍ତି । ଜେଡିୟୁ ପ୍ରାର୍ଥୀଙ୍କ ବିପକ୍ଷରେ ମଇଦାନରେ ଥିବା ବିକେ ହରିପ୍ରସାଦ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ସମୟରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ରାଜ୍ୟ ସରକାରଙ୍କୁ ନିନ୍ଦା କରୁଥିଲେ ବୋଲି ବିଜେଡି କହିଛି । ଏହାସହ ସହମତି ଭିତ୍ତିରେ ଉପାଧ୍ୟକ୍ଷ ନିର୍ବାଚିତ ହୁଅନ୍ତୁ ବୋଲି ବିଜେଡି ଚାହୁଁଥିଲା । ଏବଂ ଦଳ ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ।

 

ସଂସଦୀୟ ଗଣତନ୍ତ୍ରରେ ସାମ୍ବିଧାନିକ ପଦ ଉପରେ ସହମତି ଆବଶ୍ୟକ ବୋଲି ବିଜେଡି କହିଛି । ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଘୋଷଣା ପରେ ଏହାକୁ ସମାଲୋଚନା କରାଯାଉଥିଲା । ଏହାପରେ ବିଜେଡି ପ୍ରତିକ୍ରିୟା ରଖି ଏନଡିଏ ପ୍ରାର୍ଥୀଙ୍କ ସମର୍ଥନ ଜଣାଇବା ନେଇ ସଫେଇ ରଖିଛି । ଗତକାଲି ମୁମ୍ବାଇରୁ ଫେରିବା ପରେ ବିଜେଡିର ଆଭିମୁଖ୍ୟ ନେଇ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ । ଏନଡିଏ ପ୍ରାର୍ଥୀ କରିଥିବା ଜେଡିୟୁ ସାଂସଦ ହରିବଂଶ ସିଂଙ୍କୁ ଦଳ ସମର୍ଥନ କରିବ ବୋଲି କହିଥିଲେ । ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଏନଡିଏ ପ୍ରାର୍ଥୀ ହରିବଂଶ ସିଂ ଓ ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କ ମଧ୍ୟରେ କଡା ଟକ୍କର ହେବ । କିଙ୍ଗମେକର ସାଜିବେ ଆଂଚଳିକ ଦଳ ।

ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଅନ୍ୟପଟେ ୟୁପିଏ ତଥା ବିରୋଧୀ ଦଳ ପକ୍ଷରୁ କର୍ଣ୍ଣାଟକର କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି । ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଗତ ଜୁନ୍ ମାସରୁ ଖାଲି ପଡ଼ିଥିବା ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହେବ । ୨୪୫ ସଂଖ୍ୟା ବିଶିଷ୍ଟ ରାଜ୍ୟସଭାରେ ଏବେ ଅଛନ୍ତି ୨୪୪ ସଦସ୍ୟ । ନିର୍ବାଚନ ଜିତିବା ପାଇଁ ୧୨୩ ମ୍ୟାଜିକ ନମ୍ବର । ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ମ୍ୟାଜିକ ନଂବର ଠାରୁ ଉଭୟ ଏନଡିଏ ଏବଂ ୟୁପିଏ ବହୁ ପଛରେ ଅଛନ୍ତି ।

ବିଜେପିର ୭୩ ସାଂସଦ ଏବଂ ସହଯୋଗୀ ଦଳଗୁଡ଼ିକର ସାଂସଦକୁ ମିଶାଇଲେ ବିଜେପି ପାଖରେ ୧୦୯ଟି ଭୋଟ୍ ରହିଛି । ସେପଟେ କଂଗ୍ରେସ ପାଖରେ ରହିଛି ୫୦ ଜଣ ସାଂସଦ । ମ୍ୟାଜିକ ନମ୍ବରରୁ ଉଭୟ ଦଳ ପଛରେ । ଉଭୟ ଏନଡିଏ ଏବଂ ୟୁପିଏରେ ନଥିବା ଦଳଗୁଡ଼ିକ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କିଙ୍ଗ ମେକର ଭୂମିକାରେ ରହିବେ । ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଏକ ବଡ ବାର୍ତ୍ତା ଆଣିବାକୁ ଯାଉଛି । କାହା ସପକ୍ଷରେ ରହିଛି ଆଂଚଳିକ ଶକ୍ତିଗୁଡ଼ିକର ସମର୍ଥନ । ଏହି ନିର୍ବାଚନରେ ତାହା ସ୍ପଷ୍ଟ ହୋଇଯିବ । ବିଶେଷ କରି ଏନଡିଏ ବିରୋଧରେ ମେଳି ବାନ୍ଧୁଥିବା ବିରୋଧୀ ଦଳ ଗୁଡ଼ିକ ପାଇଁ ଏକ ଶକ୍ତି ପରୀକ୍ଷା ବୋଲି ଚର୍ଚ୍ଚା ହେଉଛି ।