ପୋଲାଭରମ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ : ଆଜି ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ରଣହୁଂକାର । ଆଜି ରାଜଭବନ ଆଗରେ ବିକ୍ଷୋଭ କରିବ ଦଳ । ପ୍ରକଳ୍ପ ବିରୋଧରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ଦେବ ବିଜେଡି । କେବଳ ଏତିକି ନୁହେଁ ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ରାଜ୍ୟର ପ୍ରଭାବିତ ଜିଲ୍ଲାରେ ଧାରଣା ଦେବ ଦଳ ।

ସେପ୍ଟେମ୍ବର ୨୦ରେ ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଧାରଣା ଓ ପ୍ରତିବାଦ ସଭା କରାଯିବ । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଂଜାମ, ଗଜପତି ଓ କନ୍ଧମାଳରେ ଏହି ପ୍ରତିବାଦ ସଭା କରିବ ବିଜୁ ଜନତା ଦଳ । ସେହିଭଳି ଭାବରେ ଅକ୍ଟୋବର ପହିଲାରେ ଏହି ୭ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ହରତାଳ ମଧ୍ୟ କରାଯିବ ବୋଲି ଦଳ କହିଛି ।

ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ଆନ୍ଧ୍ର ପ୍ରଦେଶରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଯୋଗୁଁ ଓଡିଶାର ୧୫ଟି ରାଜସ୍ୱ ଗ୍ରାମ କ୍ଷତିଗ୍ରସ୍ତ ହେବ । ଏହା ସହ ୬୮୧୮ଟି ପରିବାର ବିସ୍ଥାପିତ ହେବେ । ପ୍ରାୟ ଦୁଇ ହଜାରରୁ ଅଧିକ ହେକ୍ଟର ଜମି ଜଳମଗ୍ନ ହେବ । ତେଣୁ ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି ଦଳ ।

କେନ୍ଦ୍ର ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ବହନ କରୁଥିବା ବେଳେ ଆନ୍ଧ୍ର ସରକାର ନିର୍ମାଣ କାମ କରିବେ । ଅର୍ଥମନ୍ତ୍ରୀଙ୍କ ଏହି ସ୍ପଷ୍ଟିକରଣ ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।