ଆଚରଣ ବିଧି ଉଲ୍ଲଘଂନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ବିଜେଡି ଓ ବିଜେପି । ପରସ୍ପର ବିରୋଧରେ ଆଣିଲେ ବଡ ଅଭିଯୋଗ

97

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ କମିଶନଙ୍କ ନିକଟରେ ରାଜନୈତିକ ଦଳ ଗୁଡିକର ଅଭିଯୋଗଫର୍ଦ୍ଦ ସେତିକି ଲମ୍ବିବାରେ ଲାଗିଛି । ପରସ୍ପର ପରସ୍ପର ବିରୋଧରେ ପୁଳାପୁଳା ଅଭିଯୋଗ ଧରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଉଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ଆଦର୍ଶ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଜି ପୁଣିଥରେ ବିଜେଡି ଓ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ବିଜେଡି ଆଜି ବିଜେପି ବିରୋଧରେ ଦୁଇଟି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ।  ନିର୍ବାଚନ ଆଚରଣବିଧି ଲାଗୁ ହେବା ସତ୍ତେ୍ୱ ମଧ୍ୟ ଏହାକୁ ମାନୁନାହିଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର । ଏବେ ମଧ୍ୟ ସରକାର ନିଜ ପ୍ରଚାର ଚଳାଇଛନ୍ତି । ବିମାନବନ୍ଦର, ରେଳ ଷ୍ଟେସନ, ରାସ୍ତାଘାଟ ଏପରି ରାଜ୍ୟର ପ୍ରତିଟି ସ୍ଥାନରେ ଉଜ୍ଜଳା ଯୋଜନାର ହୋର୍ଡିଂ  ଲଗାଇ ବିଜେପି ପ୍ରଚାର ଚଳାଇଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ହୋର୍ଡିଂକୁ ହଟାଯାଉନାହିଁ, ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି । ତେଣୁ ନିର୍ବାଚନ କମିଶନ ଏହା ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଏହି ହୋର୍ଡିଂକୁ ହଟାନ୍ତୁ ବୋଲି ଦାବି କରିଛି ବିଜେଡି ।

ସେହିଭଳି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ଦୂରଦର୍ଶନ ଚ୍ୟାନେଲରେ ପେଡ ନ୍ୟୁଜ ଅଧିକ ମାତ୍ରାରେ ପ୍ରସାରଣ ହେଉଛି । ଗୋଟିଏ ପଟେ ବିଜେଡି ଖବରକୁ ଦୂରଦର୍ଶନ ସମ୍ପୂର୍ଣ୍ଣ ବୟକଟ କରୁଥିବା ବେଳେ ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଖବରକୁ ଦୂରଦର୍ଶନ ଅଧିକ ପ୍ରସାରଣ କରୁଛି । ଯେହେତୁ ସାଧାରଣ ଲୋକଙ୍କ ଟିକସରେ ଦୂରଦର୍ଶନ ଚାଲୁଛି, ତେଣୁ କେନ୍ଦ୍ର ସରକାର ଏହାକୁ ମନମୁଖୀ ବ୍ୟବହାର କରିପାରିବେ ନାହିଁ ବୋଲି କହିଛି ବିଜେଡି । ତେଣୁ ଦୂରଦର୍ଶନର ଭିଡିଓ ଯାଞ୍ଚ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ବିଜେଡି ।

ସେହିଭଳି ବିଜେଡି ବିରୋଧରେ ମଧ୍ୟ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଗୁଇନ୍ଦା ବିଭାଗ ଡିଜି ତଥା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇପିଏସ ଆଶିଷ ସିଂହଙ୍କୁ ନେଇ ଅଭିଯୋଗ କରିଛି ବିଜେପି । ଆଶିଷ ସିଂହଙ୍କ କାର୍ଯ୍ୟାଳୟ ଓ ବାସଭବନ ଏବେ ବିଜେଡି କାର୍ଯ୍ୟାଳୟରେ ପରିଣତ ହୋଇଛି । ସେଠାରେ ବିଜେଡି ଟିକେଟ କାହାକୁ ଦିଆଯିବ  ଓ ନ ଦିଆଯିବ ସେନେଇ ନିଷ୍ପତି ନିଆଯାଉଛି । ଏପରିକି ଟିକେଟ ନ ପାଇଁ ଦଳ ବଦଳ କରୁଥିବା ନେତାଙ୍କୁ ଧମକ ଦିଆଯାଉଛି ବୋଲି ଅଭିଯୋଗ ଆଣିଛି ବିଜେପି । ତେଣୁ ତାଙ୍କୁ ତୁରନ୍ତ ବଦଳି ସହ ତାଙ୍କର ବାସଭବନକୁ ସିସିଟିଭି ରାଡାରରେ ରଖାଯାଉ ବୋଲି ଦାବି କରିଛି ବିଜେପି ।