ବିହାର ବିଭୀଷିକା ଦେଖି ଡରିଲେଣି ମାଲକାନଗିରି ମାଆ: ମୁଜାଫରପୁର ମନେପକାଇ ଦେଉଛି ୧୬ର ଶିଶୁମଡ଼କ କଥା…

127

କନକ ବ୍ୟୁରୋ: ମୁଜାଫରପୁରରେ ମୁଣ୍ଡବିନ୍ଧାଉଛି ମସ୍ତିଷ୍କ ଜ୍ୱର । ଜଣେ ପରେ ଜଣେ ଶିଶୁଙ୍କୁ ଜୀବନ ନେଉଛି ଜ୍ୱର । ବିହାର ମୁଜାଫରପୁର ଶିଶୁ ମୃତ୍ୟୁର ଉପତ୍ୟକା ପାଲଟିଥିବା ବେଳେ ଏଯାଏଁ ୧୩୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅପପୁଷ୍ଟି କାରଣରୁ ଶିଶୁ ମୃତ୍ୟୁ ହେଉଥିବା କୁହାଯାଉଥିବା ବେଳେ ମିଠା ଫଳ ମଧ୍ୟ ମହାମାରୀର କାରଣ ପାଲଟିଛି । ମିଠା ଫଳ ଲିଚୁ ଏବେ ମହାକାଳ ଫଳ ସାଜିଛି । ଖାଲି ପେଟରେ ଲିଚୁ ଖାଇବା ଦ୍ୱାରା ଏହା ଶରୀରରେ ସିଧା ପ୍ରଭାବ ପକାଉଛି ଆଉ ମସ୍ତିଷ୍କ ଜ୍ୱର କରାଉଛି । ଯାହା ଫଳରେ ଅକାଳରେ ଝରି ପଡୁଛନ୍ତି କଅଁଳ କଢ଼ି ।

ସେପଟେ ମୁଜାଫରପୁରର ଛନକା ମାଲକାନଗିରି ଛାତିରେ ପଶିଛି । ମୁଜାଫରପୁରରେ ମାଆ କୋଳରୁ ଶିଶୁ ଶୂନ ହୋଇଯାଉଛି । ଆଖି ଆଗରେ ନିଜ ଛୁଆକୁ ମରୁଥିବାର ଦେଖୁଛି ମାଆ । ମୁଜାଫରପୁର ମାଆଙ୍କ କୋଳ ଫାଙ୍କା ହେବା ଦେଖି ଡରିଲେଣି ମାଲକାନଗିରିର ମାଆ । ମୁଜାଫରପୁରର ବିଭୀଷିକା ଦେଖି ଛାତିରେ ଛେପ ପକାଇଲେଣି ମାଲକାନଗିରିର ମାଆମାନେ । କାରଣ ତିନି ବର୍ଷ ତଳେ ମାଲକାନଗିରି ସାଜିଥିଲା ଶିଶୁ ମୃତ୍ୟୁର ଉପତ୍ୟକା । ଘୁଷୁରୀ ଯୋଗୁଁ ମାଲକାନଗିରିରେ ମାଡିଥିଲା ଜାପାନୀ ଜ୍ୱର । ଜ୍ୱରର ମୁଖ୍ୟବାହକ ଘୁଷୁରୀ ପାଲଟିଥିଲା । ତେବେ ଏବେ ବିହାର କଥା ଶୁଣି ୨୦୧୬ର ସେ ଚହଳ କଥା ସମସ୍ତଙ୍କର ମନେପଡି ଯାଉଛି । ଆଖି ଆଗରେ ଜଳଜଳ ହୋଇ ଦିଶି ଯାଉଛି ମାଆ କୋଳରୁ ଛୁଆକୁ ଛଡାଇ ନେଉଥିବା ସେ ଜାପାନୀ ଯମ କଥା ।

୨୦୧୬ ଅକ୍ଟୋବର-ନଭେମ୍ବର ମାସରେ ହେଡଲାଇନ ସାଜିଥିଲା ମାଲକାନଗିରି । ଶିଶୁ ମଡକର ଉପତ୍ୟକା ଭାବେ ସାରା ଦେଶରେ ଚର୍ଚ୍ଚାରେ ରହିଥିଲା ମାଲକାନଗିରି । ଜାପାନୀ ଜ୍ୱରରେ ସେତେବେଳେ ପାଖପାଖି ୧୫୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ରିପୋର୍ଟ କହୁଛି । ତେବେ ୨୦୧୨ରେ ମାଲକାନଗିରିରେ ମଧ୍ୟ ଏହି ରୋଗରେ କିଛି ଶିଶୁଙ୍କ ମୃତ୍ୟୁ ହୋଇଥିଲା । ତେବେ ୨୦୧୬ରେ ଏହା ଅଧିକ ମାତ୍ରାରେ ହୋଇଥିଲା । ୧୫୪ ଶିଶୁଙ୍କ ମୃତ୍ୟୁ ପରେ ଚେତିଥିଲେ ଓଡିଶା ସରକାର ।

ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱରକୁ ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ସଫଳ ହୋଇଥିଲେ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଦୃଢ ବିଶ୍ୱାସ ଆଉ ମାଲକାନଗିରି ଜିଲ୍ଲାର ସୁରକ୍ଷା କବଚକୁ ଭେଦ କରି ପାରିବନି ଭୁତାଣୁ । କାରଣ କେବଳ ଟୀକାକରଣ ନୁହେଁ ବରଂ ଏହି ମହାମାରୀର ମୂଳକୁ ଯାଇ ଭୂତାଣୁ ଉପରେ ରୋକ ଲଗାଇବାରେ ସଫଳ ହୋଇଛି ମାଲକାଗନିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ତେବେ ସବୁ ପରେ ବି ବିହାର କଥା ଦେଖି ଏବେ ଆଶଙ୍କାରେ, ଆତଙ୍କରେ ଅଛନ୍ତି ମାଲକାନଗିରି ମାଆ । ସେପଟେ ଚାକୁଣ୍ଡା ଫଳ ଖାଇବା ଦ୍ୱାରା ମଧ୍ୟ ଏ ରୋଗ ହେଉଥିବାରୁ ଆଦିବାସୀଙ୍କ ଘର ଘର ବୁଲି ସେ ଫଳକୁ କିପରି ପିଲା ନଖାଆନ୍ତି ସେପ୍ରତି ଧ୍ୟାନ ଦେବାକୁ ସଚେତନ କରାଉଛନ୍ତି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ।