ରାଜଧାନୀ ଭୁବନେଶ୍ୱରରେ ଚାଂଚଲ୍ୟକର ହତ୍ୟାକାଣ୍ଡ : ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର

48

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚାଂଚଲ୍ୟକର ହତ୍ୟାକାଣ୍ଡ  । ମଂଚେଶ୍ୱରରେ ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର ହୋଇଯାଇଛି  । ରସୁଲଗଡ଼ ଅଂଚଳରେ ଥିବା ହାଇୱେ ହୋଟେଲରୁ ଯୁବତୀଙ୍କ ମୃତଦେହ ମିଳିଛି  । ମୃତ ଯୁବତୀ ଜଣକ ଖୋର୍ଦ୍ଧା ଅଂଚଳର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ବୋଲି ଜଣାପଡିଛି  । ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ନିଜ ପ୍ରେମିକଙ୍କ ସହ ହୋଟେଲରେ ରହିଥିବା କୁହାଯାଉଛି  । ଲକ୍ଷ୍ମୀପ୍ରିୟାଙ୍କ ହତ୍ୟା ପଛରେ ତାଙ୍କ ପ୍ରେମିକଙ୍କ ହାତ ଥିବା ପୁଲିସ ଅନୁମାନ କରୁଛି  । ଘଟଣାସ୍ଥଳରେ ମଂଚେଶ୍ୱର ପୁଲିସ୍ ଛାନଭିନ୍ ଆରମ୍ଭ କରିଛି  । ଅନ୍ୟପଟେ ଏହି ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱରରେ ଚାଂଚଲ୍ୟ ଖେଳାଇଦେଇଛି  ।

ସେପଟେ କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା କଂସାର କାଙ୍କଦିଆ ଗାଁରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି  । ମୃତ ଯୁବତୀ ଜଣକ ବ୍ରଜବନ୍ଧୁ ସ୍ୱାଇଁଙ୍କ ୧୯ ବର୍ଷୀୟା ଝିଅ ରୁକ୍ମଣୀ ବୋଲି ଜଣାପଡ଼ିଛି  । ଘରଠାରୁ ମାତ୍ର ୧୦୦ ମିଟର ଦୁରରେ ରୁକ୍ମଣୀଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ଶରୀର ସମ୍ପୂର୍ଣ୍ଣ ରୂପେ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି  । ମୃତଦେହ ନିକଟରେ ଏକ କିରୋସିନ୍ ଜାର୍ ମିଳିଛି  । ରୁକ୍ମଣୀ ଭୁବନେଶ୍ୱରରେ ନର୍ସିଂ ପଢ଼ା ଶେଷ ଶେଷ କରିଥିଲେ ଓ ଗତକାଲି ସେ ଗାଁକୁ ଆସିଥିଲେ  । ତେବେ ଘରେ ତାଙ୍କ ବ୍ୟବହାର ସ୍ୱାଭାବିକ ନଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ  । ସକାଳେ ତାଙ୍କୁ ବିଛଣାରେ ନପାଇ ଘରଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ  । ଏହାପରେ ତାଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିଲା  । ସଦର ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି  । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ  ।