ବିଜେପି ଓ ବୈଜୟନ୍ତ ସର୍ମ୍ପକ : କିଛି ଆଲୁଅ, କିଛି ଅନ୍ଧାର! ଅମିତ ଶାହାଙ୍କ ଗସ୍ତ ସମୟରେ ପଦ୍ମ ଧରିବେ କି ଜୟ ପଣ୍ଡା ?

51

କନକ ବ୍ୟୁରୋ : ‘ବିଜେପି ଓ ବୈଜୟନ୍ତ’ ଚର୍ଚ୍ଚା ପୁଣିଥରେ ପାଇଛି ଜୀବନ୍ୟାସ । ଗତକାଲି କଟକରେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବାସଭବନରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ କଟକରୁ ଲଢିବା ପାଇଁ ଅନୁରୋଧ କରିବା ପରେ ପୁଣିଥରେ ଜୋର ଧରିଛି ବିଜେପି ଓ ବୈଜୟନ୍ତ ଚର୍ଚ୍ଚା । ବିଜେଡିରୁ ଇସ୍ତଫା ଦେଇଥିବା ଏହି ନେତା ବିଜେପି ଯିବା ନେଇ ଚର୍ଚା ହେଉଥିବା ବେଳେ କଟକ ବିଜେପି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଏହି ଚର୍ଚାକୁ ଖୋରାକ ଯୋଗାଇଛି । ଆସନ୍ତା ଜୁଲାଇ ପହିଲାରେ ଓଡିଶା ଆସୁଛନ୍ତି ବିଜେପିର ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହି ସମୟରେ ବିଜେପିରେ ମିଶିବା ନେଇ ବୈଜୟନ୍ତଙ୍କ କ୍ୟାମ୍ପ ପ୍ରୟାସ କରୁଥିବା ବେଳେ , ସମସ୍ତଙ୍କ ନଜର ବିଜେପିର ଦିଲ୍ଲୀ ନେତାଙ୍କ ଉପରେ ରହିଛି ।

ବିଜେଡିଠାରୁ ସଂପର୍କ ଛିନ୍ନ କରିସାରିଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ କ’ଣ? ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଟକରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । କାରଣ କଟକ ବିଜେପିର ତୁଙ୍ଗନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଘରେ ପହଂଚିଛନ୍ତି ବୈଜୟନ୍ତ ପଣ୍ଡା । ଯେଉଁଠି ତାଙ୍କୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା । ସବୁଠାରୁ ବଡକଥା ହେଉଛି ବୈଜୟନ୍ତଙ୍କୁ ସ୍ୱାଗତ କରିବା ପାଇଁ ବିଜେପିର ଅନେକ ନେତା ଓ କର୍ମୀ ସମୀରଙ୍କ ବାସଭବନରେ ଉପସ୍ଥିତ ଥିଲେ । ଆଉ ୧୫ ମିନିଟ୍ କାଳ ସମୀରଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ ବୈଜୟନ୍ତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତର ଠିକ ପୂର୍ବରୁ ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଳନର ଚିତ୍ର ଚାଞ୍ଚଲ୍ୟ ସୃଷ୍ଟି କରିବାକୁ ଯଥେଷ୍ଟ ।

– ବିଜେପି ପାଲଟିବ କି ବୈଜୟନ୍ତଙ୍କ ନୂଆ ଠିକଣା?
– କେନ୍ଦ୍ରାପଡା ଛାଡି କଟକରୁ ଲଢିବେ କି ବୈଜୟନ୍ତ?
– କାମ କଲା କି ବୈଜୟନ୍ତଙ୍କ କେନ୍ଦ୍ରୀୟ ନେତାଙ୍କ ସହ ଲବି?

ଏସବୁ ଭିତରେ ବିଜେପି ନେତା ମାନେ ମଧ୍ୟ ବୈଜୟନ୍ତଙ୍କ ପାଇଁ ବିଜେପିର ଦ୍ୱାର ଖୋଲା ଅଛି ବୋଲି କହି ବୁଲୁଛନ୍ତି । ନେତାମାନଙ୍କ କଥାରୁ ଏକଥା ସ୍ପଷ୍ଟ ଯେ, ବୈଜୟନ୍ତଙ୍କ ପାଇଁ ଅସ୍ପୃଶ୍ୟ ନୁହେଁ ବିଜେପି । ବିଜେଡିକୁ ବାରମ୍ବାର କାଠଗଡାରେ ଛିଡାକରି ବିଜେପି ଓ ଏହାର ନେତାଙ୍କୁ ପ୍ରଶଂସାରେ ପୋତି ପକାଇଥିବା ବୈଜୟନ୍ତଙ୍କୁ କୋଳେଇ ନେବାରେ ବିଜେପିର ବିଶେଷ ଅସୁବିଧା ନାହିଁ ।

ଆଗାମୀ ରାଜନୈତିକ ଭବିଷ୍ୟତ ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ଏକ ପ୍ରଭାବୀ କ୍ୟାମ୍ପର ଆବଶ୍ୟକତା ରହିଛି । ସାଧାରଣ ନିର୍ବାଚନ ଓ ପଂଚାୟତ ନିର୍ବାଚନରେ କଂଗ୍ରେସ ତୁଳନାରେ ବିଜେପିର ଭଲ ପ୍ରଦର୍ଶନ ଗେରୁଆ କ୍ୟାମ୍ପ ପ୍ରତି ତାଙ୍କୁ ଅଧିକ ଆକର୍ଶିତ କରିପାରେ । ପଦ୍ମ ଶିବିରରେ ରହି ବିଜେଡି ଓ ଏହାର ନେତାଙ୍କୁ ଜବାବ ଦେବାପାଇ ଚିନ୍ତା କରୁଥାଇ ପାରନ୍ତି ବୈଜୟନ୍ତ । ତେବେ ବୈଜୟନ୍ତ ଯଦି ବିଜେପିରେ ଯୋଗ ଦେଇ କଟକରୁ ନିର୍ବାଚନ ଲଢ଼ନ୍ତି ତେବେ ଏହା ଦଳ ଉପରେ ଟିକିଏ ବି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେଡ଼ି । ଜୁଲାଇ ୧ ତାରିଖରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମିଶନ ୧୨୦ ଲକ୍ଷ୍ୟ ପୂରଣ ପାଇଁ ନେତା ଓ କର୍ମୀଙ୍କୁ ଦେଇଥିବା ଟାସ୍କର ସମୀକ୍ଷା କରିବେ ଦଳର ସର୍ବୋଚ୍ଚ ନେତା । ଆଉ ଚର୍ଚ୍ଚା ଏମିତି ବି ହେଉଛି ଯେ, ଏହି ମୌକାରେ ବିଜେପି କ୍ୟାମ୍ପକୁ ଯିବାଲାଗି ଚେଷ୍ଟା ଚଳାଇଛନ୍ତି ବୈଜୟନ୍ତ । ଆଉ ବିଜେପିକୁ ଯିବା ପୂର୍ବରୁ ଏହା ବୈଜୟନ୍ତଙ୍କ ପ୍ରାକ ପ୍ରସ୍ତୁତି ବୋଲି ବାହାରେ ଚର୍ଚ୍ଚା ହେଉଛି ।