ପଦାରେ ପଡ଼ିଲା ବିଜେପି କଳି ! ବୁଦ୍ଧିଜୀବୀ ସମ୍ମିଳନୀରେ ପିଟାପିଟି ହେଲେ ବିଜେପିର ୨ ଗୋଷ୍ଠୀ

49

କନକ ବ୍ୟୁରୋ : ନୟାଗଡ ବିଜେପିର ବୈଠକରେ ଦେଖିବାକୁ ମିଳିଛି ଲଙ୍କାକାଣ୍ଡ । ନୟାଗଡରେ ବିଜେପିର ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇ ୩ଜଣ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଆହତ ବିଜେପି କର୍ମୀଙ୍କୁ ଜିଲ୍ଳା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ମୋଦି ସରକାରଙ୍କ ୪ର୍ଥ ବର୍ଷ ପୂତ୍ତି ଅବସରରେ ନୟାଗଡ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରିଥିଲେ । ପରେ ସେଠାରେ ଉପସ୍ଥିତ ବିଜେପିର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଫଳରେ ବିଜେପିର ୩ କର୍ମୀ ଗୁରୁତର ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି କେଉଁ କାରଣରୁ ଏଭଳି ଗୋଷ୍ଠି ସଂଘର୍ଷ ଘଟିଲା ତାହାର ତଦନ୍ତ କରୁଛି । ଏପରିକି ବିଜେପି କଳିକୁ ସମାଧାନ କରିବା ପାଇଁ ରାଜ୍ୟ ବିଜେପିର ଦୁଇ ବରିଷ୍ଠ ନେତା , ବିଜେପି ବିଧାୟକ ଦଳ ନେତା କେ.ଭି. ସିଂଦେଓ ଓ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସୂଚନା ଅନୁଯାୟୀ କିଛିଦିନ ତଳେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ପଦ ଛାଡି ବିଜେପିରେ ଯୋଗଦେଇଥିବା ଲାଲା ମନୋଜ ରୟଙ୍କ ପତ୍ନୀ ଇରାନୀ ରାୟ ନୟାଗଡର ଏକ ହୋଟେଲରେ ବୁଦ୍ଧିଜୀବି ସମ୍ମିଳନୀ କରୁଥିଲେ । ତେବେ ମଂଚରେ ଇରାନୀଙ୍କ ଫଟୋ ଲଗାଯିବାକୁ ପରାଜିତ ବିଧାୟକ ପ୍ରାର୍ଥୀଙ୍କ ଗୋଷ୍ଠି ବିରୋଧ କରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ଖଣ୍ଡ ଯୁଦ୍ଧ । ଯେଉଁ ହେଟେଲରେ ବୁଦ୍ଧିଜୀବୀ ସମ୍ମିଳନୀ ଡକାଯାଇଥିଲା, ସେହି ହେଟେଲ ପାଲଟିଥିଲା ବିଜେପିର ଯୁଦ୍ଧକ୍ଷେତ୍ର ।