ଅଣ୍ଡାମାଡ଼ର ଥଣ୍ଡା ରିପୋର୍ଟ : ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ଘଟଣାର ରିପୋର୍ଟ ଦେଲେ ମନ୍ତ୍ରୀ ଉଷା ଦେବୀ

34

କନକ ବ୍ୟୁରୋ : ଆଶା କରାଯାଉଥିଲା, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରେ ହୋଇଥିବା ଅଣ୍ଡାମାଡ଼ ଘଟଣା ସହ ଜଡ଼ିତ ଥିବା ଏହି ସବୁ ମୂଳ ପ୍ରଶ୍ନ ଗୁଡ଼ିକର ଉତ୍ତର ମିଳିଯିବ, ଯେତେବେଳେ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ ତାଙ୍କ ରିପୋର୍ଟ ପ୍ରଦାନ କରିବେ । ପର୍ଯ୍ୟବେକ୍ଷକ ରିପୋର୍ଟ ଦେଲେ, ହେଲେ କ’ଣ ରହିଛି ରିପୋର୍ଟ କାହାକୁ ମାଲୁମ୍ ନାହିଁ । ଘଟଣା ଘଟିବା ପରେ ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଅଣ୍ଡାମାଡ଼ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦଳୀୟ ମୁଖପାତ୍ରମାନେ କହି ବୁଲିଲେ, ଦଳୀୟ ସୁପ୍ରିମୋ ଘଟଣାକୁ ବେଶ ଗମ୍ଭୀରତାର ସହ ନେଉଛନ୍ତି । ମେ ୩୦ରୁ ଅଗଷ୍ଟ ୧୨ । ପ୍ରାୟ ଅଢ଼େଇ ମାସ ଧରି ଘଟଣାର ତଦନ୍ତ କଲେ ଦାୟିତ୍ୱ ନେଇଥିବା ପର୍ଯ୍ୟବେକ୍ଷକ । ଆଉ ଯେତେବେଳେ ପଚରାଗଲା କ’ଣ ରହିଛି ଏହି ରିପୋର୍ଟରେ, ଉଷା ଦେବୀଙ୍କ ଉତ୍ତର ଥିଲା ଠିକ୍ ଏମିତି ।

ରିପୋର୍ଟରେ ଯାହା ଅଛି ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ଏବଂ ଗଣମାଧ୍ୟମ ପାଇଁ ଉତ୍ତର ଦେବା ଜରୁରୀ ନୁହେଁ ବୋଲି କହୁଛନ୍ତି ଉଷାଦେବୀ । ଯିଏ ଅଣ୍ଡାମାଡ଼କୁ ସାମ୍ନା କରିଛି ସିଏ ବିଜେଡିର, ଆଉ ଯିଏ ଅଣ୍ଡା ମାରିଛି ବୋଲି ଅଭିଯୋଗ ହୋଉଛି ସିଏ ବି ବିଜେଡି ଦଳର ବୋଲି ଆଶଙ୍କା କରାଯାଉଛି । କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିଜେଡି । କୁହାଯାଉଥିଲା ଟିକେ ଭୁଲ୍ ଭଟକା ଦେଖିଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେଇ ଯାଉଥିଲେ ବିଜେଡି ସୁପ୍ରିମୋ । ହେଲେ ବିଗତ ଦିନର କିଛି ଘଟଣାକୁ ଦେଖିଲେ, ସନ୍ଦେହ ହେବା ସ୍ୱାଭାବିକ୍-ଯେ, ପଛ ଘୁଂଚା ଦେଉଛି କି ବିଜେଡି ।

ପୂର୍ବରୁ ଦଳୀୟ ସାଂସଦ ଭର୍ତୃହରି ମହତାବ୍, ଖୋଲାଖୋଲି ଗଣମାଧ୍ୟମରେ ସାକ୍ଷାତକାର ଦେଇ ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଥିଲେ । କୁହାଯାଉଥିଲା, କାର୍ଯ୍ୟାନୁଷ୍ଠାନର ସାମ୍ନା ହୋଇପାରନ୍ତି । କିଛି ନେଲାନି । କଥା କଥାକେ ଟ୍ୱିଟ୍ କରୁଥିବା ବୈଜୟନ୍ତ ପଣ୍ଡା, ନିଜ ଲେଖାମାଧ୍ୟମରେ ଆତ୍ମସମୀକ୍ଷାର ପରାମର୍ଶ ଦେଲେ, ଦଳ ଚୁପ୍ ରହିଲା । ମନୋମୁଣ୍ଡାରେ ବିଜେଡିର କିଛି ନେତା ବିଜେପି କର୍ମୀଙ୍କୁ ନିସ୍ତୁକ ମାଡ଼ ହେଲା, ନବୀନ କିଛି ନଜାଣିଲା ଭଳି ଚୁପ୍ ରହିଗଲେ ।