ମାଲକାନଗିରିକୁ ପୁଣି ଫେରିବ କି ଜାପାନୀ ଜ୍ୱର : ଘୁଷୁରି ମଡ଼କ ପରେ ଜିଲ୍ଲାରେ ଆତଙ୍କ

20

କନକ ବ୍ୟୁରୋ : ଚିନ୍ତାରେ ଏବେ ମାଲକାନଗିରି ଜିଲ୍ଲାବାସୀ । କେତେକ ଦୁର୍ଗମ ଅଂଚଳରେ ଦେଖା ଦେଇଛି ଘୁଷୁରି ମଡକ । କାଲିମେଳା ବ୍ଲକ ବଡିଗେଟା ଗାଁରେ ଗତ ତିନି ସପ୍ତାହ ମଧ୍ୟରେ ପ୍ରାୟ ୨ଶହରୁ ଅଧିକ ଘୁଷୁରି ପ୍ରାଣ ହରାଇଛନ୍ତି । ଏପରିକି ମୃତ ଘୁଷୁରିର ମାଂସ ଖାଇବା ପରେ ଅନେକ କୁକୁର ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି । ଗତ ବର୍ଷ ଏହି ସମୟରେ ଜିଲ୍ଲାରେ ଜାପାନୀ ଏନସେଫାଲାଇଟିସ୍ ବା ଜାପାନୀ ଜ୍ୱର ଯୋଗୁଁ ୧୫୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହି ରୋଗର ଭୂତାଣୁ ବ୍ୟାପିରେ ସହାୟକ ହେଉଥିବା ଘୁଷୁରିକୁ ମଧ୍ୟ ମରାଯାଇଥିଲା । ତେବେ ଏବେ ହଠାତ୍ ଘୁଷୁରି ମଡକ ଦେଖି ଛାନିଆ ସ୍ଥାନୀୟ ଲୋକେ । ସେପଟେ ଚିନ୍ତାରେ ଘୁଷୁରି ଚାଷୀ ।

ଘୁଷୁରି ମଡକ ଘଟଣା ସାମ୍ନାକୁ ଆସିବା ପରେ ମାଲକାନଗିରିରେ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନର ବିଶେଷଜ୍ଞ ଦଳ । ସେମାନେ ବଡିଗେଟା ଗାଁରେ ପହଂଚି ଘୁଷୁରୀ ମରିବା ଘଟଣାର କାରଣ ଖୋଜିବା ଆରମ୍ଭ କରିଛନ୍ତି । ରକ୍ତ ନମୂନା ସଂଗ୍ରହ ସହ ମୃତ ଘୁଷୁରିର ପୋଷ୍ଟମର୍ଟମ କରିଛନ୍ତି । ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ବିଶେଷଜ୍ଞ କହିଛନ୍ତି । ଗୋଟିଏ ପଟେ ଘୁଷୁରି ମଡକ ଯାଗୁଁ ଘୁଷୁରି ପାଳନ କରୁଥିବା ଲୋକେ କ୍ଷତି ସହୁଛନ୍ତି । ଆରପଟେ ଏହା ଜିଲ୍ଲାବାସୀଙ୍କ ମନରେ ସୃଷ୍ଟି କରୁଛି ଜାପାନୀ ଜ୍ୱରର ଭୟ ।