ସାତଭାୟା ଦୁଃଖକୁ ବଳିଗଲା ବଗପାଟିଆ ଦୁଃଖ : ବର୍ଷା ଆରମ୍ଭରୁ ଜଳବନ୍ଦୀ ଜୀବନ ବିତାଉଛନ୍ତି ସ୍ଥାନୀୟ ବାସିନ୍ଦା

64

କନକ ବ୍ୟୁରୋ : ବର୍ଷା ଆରମ୍ଭରୁ ଜଳବନ୍ଦୀ ଜୀବନ । ପାଣି କାଦୁଅ ଭିତରେ ଜୀବନ ବିତାଉଛନ୍ତି ସାତଭାୟାବାସୀ । ସମୁଦ୍ର ଗର୍ଭରେ ଗାଁ ଲୀନ ହେବାକୁ ଥିବା କେନ୍ଦ୍ରାପଡା ସାତଭାୟାବାସୀଙ୍କୁ ରାଜନଗର ବଗପାଟିଆ ଗାଁରେ ଥଇଥାନ କରାଯାଇଛି । ହେଲେ ସେଠାରେ କିନ୍ତୁ ସେମାନଙ୍କ ଦୁଃଖ ସାତଭାୟା ଠାରୁ ବଳି ଯାଇଛି ।

ବଙ୍ଗୋପସାଗରରେ ଲୀନ ହେବାକୁ ବସିଥିବା ସତାଭାୟାବାସୀଙ୍କୁ କେନ୍ଦ୍ରାପଡା ରାଜନଗର ବଗପାଟିଆ ଠାରେ ଥଇଥାନ କରାଯାଇଛି । ପ୍ରାୟ ୫ ଶହ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଥଇଥାନ କରାଯାଇଥିବା ବେଳେ ବର୍ଷା ଆରମ୍ଭରୁ ସାତଭାୟାବାସୀଙ୍କ ଦୁଃଖ ବଢିଯାଇଛି । ଥଇଥାନ ସ୍ଥାନଟି ରାସ୍ତା ଠାରୁ ପ୍ରାୟ ୮ ଫୁଟ ତଳେ ଥିବାରୁ ବର୍ଷା ପାଣିରେ ରାସ୍ତାଗୁଡିକ ଆଣ୍ଠୁଏ କାଦୁଅରେ ଫୁଟିଛି । କେବଳ ରାସ୍ତାର ଅବସ୍ଥା ବେହାଲ ତା ନୁହେଁ, ଦୁଇଟି ସ୍ଥାନରେ ନଳକୂଅ ପାଣିରେ ବୁଡି ରହିଥିବାରୁ ପିଇବା ପାଣି ପାଇଁ ଲୋକ ନାକେଦମ୍ ହେଉଛନ୍ତି ।

ଖରା ଦିନ ଛୁଟି ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରା କାଦୁଅ ପଚ ପଚ ରାସ୍ତାରେ ପଶି ସ୍କୁଲ ଯାଉଛନ୍ତି । ରାସନ ପାଇଁ ନିକଟସ୍ଥ ଗୁପ୍ତି, ଓକିଲପାଳ ଓ ରାଜନଗର ଉପରେ ନିର୍ଭର କରୁଥିବା ଲୋକ ବହୁ ଅସୁବିଧା ଭୋଗୁଛନ୍ତି । ସେପଟେ ଖୁବଶୀଘ୍ର ବଗପାଟିଆର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ରାଜନଗର ତହସିଲଦାର । ଗାଁକୁ ସମୁଦ୍ର ଗିଳି ଦେବାର ଭୟ ଥିବାରୁ ବିସ୍ଥାପିତ ହେଲେ । ହେଲେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଥିବା ବଗପାଟିଆ ଗାଁର ଦୁଃଖ ବଳିଗଲା ସାତଭାୟା ଦୁଃଖକୁ ।