ଓଡିଶାର ଚାଷୀ ଆନ୍ଦୋଳନରେ ସାମିଲ ହେଲେ ଆନ୍ନା ହଜାରେ : କହିଲେ ଚାଷୀଙ୍କୁ ଠକିଛନ୍ତି ମୋଦି ସରକାର, ଶିଳ୍ପପତିଙ୍କ ପାଇଁ ନବୀନ ସରକାରଙ୍କ ଦରଦ ବେଶି

28

କନକ ବ୍ୟୁରୋ : ଧାନର ଏମଏସପିକୁ ନେଇ ବିବାଦ ଏବଂ ଚକଡା ପୋକ ଯୋଗୁଁ ସଂକଟରେ ଗତି କରୁଥିବା ଓଡିଶା ଚାଷୀଙ୍କ ପାଇଁ, ବ୍ୟବସ୍ଥା ବିରୋଧରେ ଲଢିବାକୁ ପହଂଚିଛନ୍ତି ବିଶିଷ୍ଟ ସମାଜସେବୀ ନେତା ଆନ୍ନା ହଜାରେ । ଲୋକପାଳ ବିଲ ଦାବିରେ ଧାରଣାରେ ବସି, ସରକାରଙ୍କ ନିଦ ହଜାଇ ଦେଇଥିବା ଆନ୍ନା ହଜାରେଙ୍କ ଯୋଗଦାନ ଓଡିଶାର ଚାଷୀ ଆନ୍ଦୋଳନକୁ ବଳ ଦେଇଛି ।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଜଗତସିଂହପୁରରେ ହେବାକୁ ଥିବା ଜୟ କିଷାନ ସମାବେଶରେ ସାମିଲ ହେବେ ଆନ୍ନା । ଓଡିଶାର ଚାଷୀଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଦେବାଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଆନ୍ନା । ଉତ୍ପାଦର ଦେଢଗୁଣା ଦେବେ ବୋଲି ପ୍ରତିଶ୍ରୁତି ଦେଇ କେନ୍ଦ୍ରରେ ମୋଦି ସରକାର ଚାଷୀଙ୍କ ଠକି ଦେଇଥିବା କହିଛନ୍ତି ଆନ୍ନା । ସେହିପରି ଓଡିଶା ସରକାରଙ୍କର ଶିଳ୍ପପତିଙ୍କ ପ୍ରତି ଯେତିକି ଦରଦ, ଚାଷୀଙ୍କ ପ୍ରତି ସେତିକି ନଥିବା ସେ କହିଛନ୍ତି । ତେଣୁ ଚାଷୀ ଚାହିଁଲେ ସରକାରଙ୍କୁ ଗାଦିଚ୍ୟୁତ କରିପାରିବେ ବୋଲି ଆହ୍ୱାନ କରିଛନ୍ତି ରାଷ୍ଟ୍ରୀୟ ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ ।