ଆକ୍ସନ ମୋଡରେ ‘ମୋ ସରକାର’ । ମହଙ୍ଗା ପଡିଲା ରୋଗୀଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗିବା । ଚାକିରିକୁ ବିଦା ହେଲେ ସୁବର୍ଣ୍ଣପୁର ମେଡିକାଲର ଲାଞ୍ଚୁଆ କର୍ମଚାରୀ

706

କନକ ବ୍ୟୁରୋ: ଆକ୍ସନ ମୋଡରେ ‘ମୋ ସରକାର’ । ଲୋକଙ୍କ ସେବାରେ ଟିକେ ଉଲମ ବିଲମ ହେଲେ ସାଙ୍ଗେ ସାଙ୍ଗେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ସୁବର୍ଣ୍ଣପୁର ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମେଡିକାଲ କର୍ମଚାରୀ ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଏହାର ପ୍ରମାଣ ଦେଇଛି ‘ମୋ ସରକାର’ ।

ତେବେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମେଡିକାଲ କର୍ମଚାରୀ ଲାଞ୍ଚ ମାଗିବାର ଭିଡିଓ ଭାଇରାଲ ହୋଇଥିଲା । ମେଡିକାଲ କର୍ମଚାରୀ ଲାଞ୍ଚ ମାଗୁଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ଜଣାଇଥିଲେ । ଆଉ ଟ୍ୱିଟ ପରେ ଆକ୍ସନ ମୋଡକୁ ଆସିଥିଲା ମୋ ସରକାର । ସଙ୍ଗେ ସଙ୍ଗେ ଘଟଣା ବାବଦରେ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ ନର୍ସ ଓ ଜଣେ ସୁଇପର ନିଲମ୍ବିତ କରାଯାଇଛି । ଏହା ସହ ଅନ୍ୟ ଜଣେ ସୁଇପରଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ତେବେ ମୋ ସରକାର ଅଧିନରେ ଏଭଳି ଦୃଢ କାର୍ଯାନୁଷ୍ଠାନ ପରେ ମେଡିକାଲରେ ହେଉଥିବା ଲାଞ୍ଚ କାରବାର ରୋକିବ ବୋଲି ଆଶା କରାଯାଉଛି । ଯେଉଁମାନେ ସେବା ବଦଳରେ ଲାଞ୍ଚ ମାଗୁଛନ୍ତି ସେମାନେ ଏଭଳି କରିବା ପୂର୍ବରୁ ସାତ ଥର ଭାବିବେ ବୋଲି ଅନୁମାନ କରାଯାଉଛି । କାରଣ ଦୁର୍ନୀତି କଲେ ମୋ ସରକାର ମହା କାର୍ଯାନୁଷ୍ଠାନ ନେବ ।

ସେପଟେ ପଞ୍ଚମ ପାଳିରେ ନବୀନ ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି । ସରକାରୀ ସ୍ତରରେ ସାଧାରଣ ଲୋକେ ଭୋଗୁଥିବା ଅସୁବିଧା କିମ୍ବା ଦୁର୍ନୀତିକୁ ବରଦାସ୍ତ କରା ଯିବନି ବୋଲି ନବୀନ ସିଧାସିଧା ଶୁଣାଇଛନ୍ତି । ଲୋକଙ୍କ ସମସ୍ୟା ବୁଝି ତାର ତୁରନ୍ତ ସମାଧାନ କରିବାକୁ ଥାନା ଓ ସବୁ ସରକାରୀ ଅଫିସକୁ କହିଛନ୍ତି । ଆଉ ଯଦି ସେଥିରେ କେହି ଖିଲାପ କରେ ତାହାଲେ ଆକ୍ସନ ନିଆଯିବ ବୋଲି ଶୁଣାଇଥିଲେ । ଯାହାର ବଡ ଉଦାହରଣ ହେଉଛି ସୁବର୍ଣ୍ଣପୁର ମେଡିକାଲର ଚାଞ୍ଚୁଆ କର୍ମଚାରୀଙ୍କୁ ନିଲମ୍ବନ ।