ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଶୀତ ଲହରି, ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

507

କନକ ବ୍ୟୁରୋ : ଶୀତରୁ ନିସ୍ତାର ନାହିଁ । ଆସନ୍ତା ଦୁଇ ଦିନ ଧରି ଶୀତର ପ୍ରଭାବରେ ଥରିବ ସାରା ଓଡିଶା । ଆସନ୍ତାକାଲି ପାଇଁ ୧୩ଟି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ଶୀତ ଲହରି ଯୋଗୁଁ ପ୍ରଭାବିତ ହୋଇଛି ସ୍ୱାଭାବିକ ଜୀବନଯାତ୍ରା ।

ପ୍ରବଳ ଶୀତରେ ଥରୁଛି ଓଡିଶା । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଶୀତ ଲହରି ଜାରି ରହିଛି । ରାତିରେ ପ୍ରବଳ ଶୀତ ସହ ସକାଳୁ ପ୍ରବଳ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କେବଳ ସେତିକି ନୁହେଁ, କୋଇଡା, ଦାରିଙ୍ଗବାଡି ଆଦି ଅଂଚଳରେ ହେଉଥିବା ତୁଷାରପାତ ହିଁ ବୟାନ କରୁଛି ରାଜ୍ୟରେ ଲାଗି ରହିଥିବା ଶୀତ ଲହରି ପ୍ରଭାବ କେତେ ସଂଗୀନ । ଲୋକଙ୍କ ପାଇଁ ନିଆଁ ଏକ ବଡ ସାହାରା ସାଜିଛି । ରାସ୍ତାକଡରେ ରହୁଥିବା ଲୋକ ଓ ଗରିବଙ୍କ ଜୀବନ ଶୀତ ପ୍ରଭାବରେ ଯନ୍ତ୍ରଣା ଦାୟକ ହୋଇପଡିଛି ।

ଭାରତୀୟ ପାଣିପାଗ ବିଭାଗ ଶୀତର ପ୍ରଭାବ ନେଇ ସତର୍କ ସୂଚନା ଜାରି କରିଛି । ସୋମବାର ଯାଏଁ ଓଡିଶାର ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ମୁଖ୍ୟତଃ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାଗୁଡିକରେ ଶୀତ ଲହରୀ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ମଙ୍ଗଳବାର ଦିନ ବିଶେଷ କରି କଳାହାଣ୍ଡି, ବଲାଙ୍ଗିର, ସୋନପୁର, ଅନୁଗୁଳ, କେନ୍ଦୁଝର ଓ ଦେବଗଡରେ ଶୀତ ଲହରି ଅନୁଭୂତ ହେବା ସହ ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ଶୀତର ପ୍ରଭାବ ମଙ୍ଗଳବାର ଯାଏଁ ଲାଗି ରହିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପ୍ରବଳ ଶୀତ ଲହରି ଅନୁଭୂତ ହୋଇଛି । ଗୋଟିଏ ଦିନରେ ୪ ରୁ ୫ ଡିଗ୍ରୀ ତଳକୁ ଖସି ଆସିଛି ତାପମାତ୍ରା । ୧୫ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ମାଲକାନଗିରିରେ ସର୍ବାଧିକ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସୋନପୁରରେ ସର୍ବନିମ୍ନ ୩.୪ ଡିଗ୍ରୀ ରେକର୍ଡ କରାଯାଇଛି ।