ଇରାକର ମୋସୁଲରୁ ଆସିଲା ମୃତ୍ୟୁର ବାର୍ତା ! ୨୦୧୪ରେ ୩୯ ଜଣ ଭାରତୀୟଙ୍କୁ ହତ୍ୟା କରିଥିଲା ଆଇଏସଆଇଏସ୍, ପାହାଡ ଖୋଳିବା ପରେ ପଦାକୁ ଆସିଲା ପ୍ରକୃତ ସତ

36

କନକ ବ୍ୟୁରୋ : ୨୦୧୪ରେ ୪୦ ଜଣ ଭାରତୀୟଙ୍କୁ ଅପହରଣ କରି ହତ୍ୟା କରିଥିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ । କେବଳ ଜଣେ କୌଣସି ଉପାୟରେ ସେଠାରୁ ଖସି ଆସିଥିଲେ । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ । ଗତ ୩ ବର୍ଷ ଧରି ଏହି ଅପହରଣ ଘଟଣାକୁ ନେଇ ଚର୍ଚା ଚାଲିଥିବା ବେଳେ ଆଜି ବୈଦେଶିକ ମନ୍ତ୍ରୀ ଏନେଇ ସ୍ପଷ୍ଟ କରିଛନ୍ତି । ସେପଟେ ପରିବାର ଲୋକେ କହିଛନ୍ତି, କେନ୍ଦ୍ର ସରକାର ତାଙ୍କୁ ଧୋକା ଦେଇଛି । ୩ ବର୍ଷ ପୂର୍ବରୁ ଏହି ଘଟଣା ଘଟିଥିଲେ ମଧ୍ୟ ସେମାନଙ୍କୁ ଅନ୍ଧାରରେ ରଖାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ।

ଇରାକ୍ର ମୋସୁଲରେ ୩୯ ଜଣ ଭାରତୀୟଙ୍କ ନିଖୋଜ୍ କାହାଣୀ ଉପରୁ ହଟିଛି ପର୍ଦ୍ଦା । ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ୩୯ ଭାରତୀୟଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର । ଏନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ ରାଜ୍ୟସଭାରେ ଆଜି ଆନୁଷ୍ଠାନିକ ଭାବେ ବିବୃତି ରଖିଛନ୍ତି । ମୋସୁଲରେ ୩୯ ଜଣ ଭାରତୀୟ ଶ୍ରମିକଙ୍କୁ ହତ୍ୟାକରାଯାଇଥିଲା । ଅପହୃତ ୩୯ ଜଣ ଭାରତୀୟ ଶ୍ରମିକଙ୍କୁ ଆଇଏସଆଇଏସ୍ ଆତଙ୍କବାଦୀ ମାରିଛନ୍ତି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ପାହାଡ଼ ଖୋଳି ବାହାର କରାଗଲା ୩୯ ଜଣ ଭାରତୀୟଙ୍କ ଶବ । ଇରାକର ମୋସୁଲରେ ୩୯ ଜଣ ଭାରତୀୟ ଶ୍ରମିକଙ୍କୁ ଅପହରଣ କରାଯାଇଥିଲା ।

୨୦୧୪ ମସିହା, ଜୁନ ମାସ । ଇରାକ୍ ମୋସୁଲରେ ଇସଲାମିକ୍ ଚରମପନ୍ଥୀ ଟାର୍ଗେଟ କରନ୍ତି ୪୦ ଜଣ ଭାରତୀୟଙ୍କୁ । ତେବେ ସେମାନଙ୍କ ମଧ୍ୟରୁ ହରଜିତ୍ ମାସି ନିଜକୁ ବାଂଲାଦେଶରୁ ଆସିଥିବା ମୁସଲିମ୍ କହି ଖସିଆସିବାରେ ସଫଳ ହୁଅନ୍ତି । ବାକି ୩୯ଜଣ ଭାରତୀୟଙ୍କୁ ଆଇଏସ୍ ଆତଙ୍କବାଦୀ ବାଦୁସ୍ ସହରକୁ ଆଣି ହତ୍ୟା କରନ୍ତି । ପରେ ବାଦୁସ୍ ନିକଟରେ ସେମାନଙ୍କର ଗଣକବର ଠାବ କରାଯାଏ । ମୃତାବଶେଷର ଡିଏନଏ ସାମ୍ପୁଲ୍ ୩୮ ନିଖୋଜ ଭାରତୀୟଙ୍କ ସହ ମେଳ ଖାଉଥିବା ଓ ବାକି ଜଣେ ବ୍ୟକ୍ତିଙ୍କ ଡିଏନଏ ୭୦ ପ୍ରତିଶତ ମେଳ ଖାଉଥିବା ଫରେନସିକ୍ ରିପୋର୍ଟରୁ ଜଣାପଡ଼େ ।

ସୁଷମାଙ୍କ ବିଧିବଦ୍ଧ ଘୋଷଣା ପରେ ମୃତକଙ୍କୁ ଟ୍ୱିଟ୍ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି ରାହୁଲ ଗାନ୍ଧୀ । ଅନ୍ୟପଟେ ସଂସଦରେ ବିବୃତି ରଖିବା ପୂର୍ବରୁ ପରିବାରକୁ ଜଣାଇବାର ଥିବା ସିପିଏମ୍ କହିଛି । ମୃତ ୩୯ ଜଣଙ୍କ ମଧ୍ୟରୁ ୨୨ ଜଣ ହେଉଛନ୍ତି ପଂଜାବର ।