ବାଉଁଶ ଚାଷ କଲେ ସରକାର ଯୋଗାଇବେ ଆର୍ଥିକ ସହାୟତା : ହେକ୍ଟର ପିଛା ଚାଷୀଙ୍କୁ ମିଳିବ ୫୦ ହଜାର ଟଙ୍କା

786

କନକ ବ୍ୟୁରୋ : ରାଜ୍ୟରେ ବାଉଁଶ ମିସନ୍‌ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭ କୋଟି ୩୩ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ପ୍ରସ୍ତୁତ ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ରାଜ୍ୟସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା ବାଉଁଶ ମିସନ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା କ୍ଷେତ୍ର ସ୍ତରରେ ବନ ସଂରକ୍ଷଣ ସମିତି, ଯୁଗ୍ମ ଜଙ୍ଗଲ ପରିଚାଳନା କମିଟି, ପରିବେଶ ଉନ୍ନୟନ କମିଟି ଓ କୃଷକ କ୍ଲବ୍‌ଗୁଡ଼ିକୁ ସାମିଲ୍‌ କରି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପରାମର୍ଶ ଦେଇଥିଲେ ।

ବାଉଁଶ ମିସନ୍‌ର ନିର୍ଦ୍ଦେଶକ କହିଲେ, ଅଣ-ଜଙ୍ଗଲ ସରକାରୀ ଓ ଘରୋଇ ଜମିରେ ବାଉଁଶ ବୃକ୍ଷ‌ùରାପଣ ଅଧିକ କରିବା ପାଇଁ ମିସନର ଲକ୍ଷ୍ୟ ରହିଛି। ଏହା ଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କ ରୋଜଗାର ବଢ଼ିବା ସହ ଜଳବାୟୁ ସନ୍ତୁଳନ ହୋଇପାରିବ ଓ ଶିଳ୍ପ ପାଇଁ କଞ୍ଚା ସାମଗ୍ରୀ ମିଳିପାରିବ । ଘରୋଇ ଜମି, ସାମୂହିକ ଜମି, ଅବ୍ୟହୃତ ଆର୍ଦ୍ରଭୂମି, କେନାଲ ଓ ଜଳାଶୟ ନିକଟରେ ବାଉଁଶ ଗଛ ଲଗାଯିବା ଉପରେ ଗୁରୁତ୍ବ ଦିଆଯାଉଛି ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବ୍ୟବସାୟିକ ଦିଗ ପ୍ରତି ଗୁରୁତ୍ବ ଦିଆଯାଇ ବାଉଁଶ ଗଛ ଲଗାଯିବ । ଚାଷୀ ଓ କାରୀଗରମାନଙ୍କୁ ବାଉଁଶ ଗଛ ଲଗାଯିବା ପାଇଁ ପ୍ରୋତ୍ସାହନ ଦିଆଯିବ । ହେକ୍ଟର ପିଛା ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗୋଟିଏ ହେକ୍ଟର ଜମିରେ ପ୍ରାୟ ୪୧୭ ବାଉଁଶ ଗଛ ଲଗାଯିବ । ଗଛ ପିଛା ୧୨୦ ଟଙ୍କା ହିସାବରେ କିସ୍ତିରେ ତିନି ବର୍ଷ ମଧ୍ୟରେ ଏହି ଅର୍ଥ ମିଳିବ । ବାଉଁଶ ବୃକ୍ଷରୋପଣ, ତାହାକୁ ଜୀବିତ ରଖାଯିବା ଓ ବଢ଼ିବା ଆଦିକୁ ଦେଖି ଏହି ସହାୟତା ପର୍ଯ୍ୟକ୍ରମେ ମିଳିବ । ବାଉଁଶ ମିସନ୍‌ ପକ୍ଷରୁ ଗୁଣାତ୍ମକ ଚାରା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ । ୨୦୧୭-୧୮ରେ ୧୧.୨ ଲକ୍ଷ ହେକ୍ଟରରେ ବାଉଁଶ ଚାଷ ହୋଇଥିଲା ବେଳେ ୨୦୧୮-୧୯ରେ ତାହା ୧୪ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଥିଲେ ।