ରୋଗୀଙ୍କୁ ମାଗଣାରେ ମିଳିବ ଏକ୍ସ-ରେ, ସିଟିସ୍କାନ ଓ ଡାଏଲେସିସ ଭଳି ବ୍ୟୟବହୁଳ ସେବା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ।

68

କନକ ବ୍ୟୁରୋ : ରୋଗୀଙ୍କୁ ମାଗଣା ଡାଇଗ୍ନୋଷ୍ଟିକ ସେବା ଯୋଗାଇଦେବେ ରାଜ୍ୟ ସରକାର । ବ୍ୟୟବହୁଳ ସେବା ଯଥା, ଡାଏଲେସିସ, ଏକ୍ସ-ରେ, ସିଟି ସ୍କାନ ଆଦି ସେବା ରୋଗୀଙ୍କୁ ମାଗଣାରେ ମିଳିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ମାଗଣା ଡାଇଗ୍ନୋଷ୍ଟିକ ସ୍କିମ ଜରିଆରେ ଏହି ସେବା ପାଇଁ ଆଉ ଲୋକଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ ।

୨୦୧୫ରୁ ରାଜ୍ୟ ସରକାର ବ୍ୟୟବହୁଳ ଔଷଧଗୁଡିକୁ ନିରାମୟ ଯୋଜନା ମାଧ୍ୟମରେ ଲୋକଙ୍କୁ ମାଗଣାରେ ଦିଆଯାଉଛି । ଡାଇଗ୍ନୋଷ୍ଟିକ ସେବା ଓ ଡାଏଲେସିସ ପାଇଁ ଖର୍ଚ୍ଚ ରାଶି ରାଜ୍ୟ ସରକାର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ବହନକରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ସେ କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ୪୦ କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରିଛନ୍ତି ଏବଂ ବାକି ଅର୍ଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେବ ।

ବର୍ତ୍ତମାନ ସରକାରୀ ଡାକ୍ତରଖାନାରେ ସିଟି ସ୍କାନ ପାଇଁ ୮୦୦ରୁ ୧୪୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏକ୍ସ-ରେ ପାଇଁ ୫୦ ଟଙ୍କାରୁ ୧୦୦ ଟଙ୍କା ଓ ଅଲଟ୍ରାସାଉଣ୍ଡ ପାଇଁ ୩୦୦ ଓ ଡାଏଲେସିସ ପାଇଁ ୭୦୦ ଟଙ୍କା ଦେବାକୁ ପଡୁଛି । ଏବଂ ଘରୋଇ ହସ୍ପିଟାଲରେ ଏହି ସେବା ପାଇବା ପାଇଁ ତିନିଗୁଣ ଅର୍ଥ ଦେବାକୁ ପଡେ ।

ଏହା ରାଜ୍ୟ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ । ଏହାଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ପ୍ରଭାବ ପଡିବ । ଓଡିଶାର ଅନେକ ରୋଗୀ ଏହା ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି ଘରୋଇ କ୍ଲିନିକର ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଶୋଭନ ରଥ ।