କ୍ରୀଡ଼ାମନ୍ତ୍ରୀଙ୍କ ଠାରୁ ଆଶ୍ୱାସନା ପରେ ଆନ୍ଦୋଳନରୁ ହଟିଲେ କୁସ୍ତିଯୋଦ୍ଧା : ତଦନ୍ତ ନ ସରିବା ଯାଏଁ କୁସ୍ତିସଂଘ ସଭାପତି ପଦରୁ ଦୂରେଇ ରହିବେ ବ୍ରଜଭୂଷଣ ସିଂ

80

କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ତିନିଦିନ ଧରି ଯନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଶେଷ ହୋଇଛି । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ କୁସ୍ତିଯୋଦ୍ଧା ଆନ୍ଦୋଳନରୁ ଓହରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ସାକ୍ଷାତ କରିଥିଲେ ।

କ୍ରୀଡ଼ାମନ୍ତ୍ରୀଙ୍କ ଠାରୁ ଆଶ୍ୱାସନା ପାଇବା ପରେ କୁସ୍ତିଯୋଦ୍ଧା ସେମାନଙ୍କ ଆନ୍ଦୋଳନ ଶେଷ କରିଛନ୍ତି । ଯାଂଚ କମିଟି ତଦନ୍ତ ନକରିବା ଯାଏଁ ବ୍ରଜଭୂଷଣ ସିଂ ନିଜ ପଦରୁ ଦୂରେଇ ରହିବେ ଏବଂ ତଦନ୍ତରେ ସହଯୋଗ କରିବେ ବୋଲି ଅନୁରାଗ ଠାକୁର କରିଛନ୍ତି । ଏହି କମିଟି ୪ ସପ୍ତାହ ଭିତରେ ତଦନ୍ତ ପୂରଣ କରିବ ଏବଂ ଡବ୍ଲ୍ୟୁଏଫଆଇ ଏବଂ ଏହାର ସଭାପତିଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଅନୁରାଗ ଠାକୁର କହିଛନ୍ତି ।

ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ କ୍ରୀଡ଼ାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିରପେକ୍ଷ ତଦନ୍ତ ହେବ ବୋଲି ଆଶାବାଦୀ ଅଛନ୍ତି । ଏହାସହ ସେ ବିରୋଧ ପ୍ରଦର୍ଶନ ପ୍ରତ୍ୟାହାର କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ବ୍ରଜଭୂଷଣଙ୍କ ବିରୋଧରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଶୁକ୍ରବାର ୭ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଅଲିମ୍ପିକ୍ସ ପଦକ ବିଜେତା ଏମସି ମ୍ୟାରୀକମ୍ ଓ ଯୋଗେଶ୍ୱର ଦତ ରହିଛନ୍ତି ।