କରୋନା ମହାମାରୀ ଭିତରେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ । ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ନା ମିଳୁଛି ବେଡ୍ ନା ମିଳୁଛି ଆଡମିସନ ।

161

କନକ ବ୍ୟୁରୋ: କରୋନା ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ଦିଲ୍ଲୀ । ଆଉ ଏହାର ଚିତ୍ର ଏବେ ଦେଖିବାକୁ ମିଳୁଛି । ହସ୍ପିଟାଲ ବେଡ୍, ଅକ୍ସିଜେନ୍ ଓ କରୋନା ଟିକା ଉପଲବ୍ଧ ଥିବା ନେଇ ସରକାରଙ୍କ ବାରମ୍ବାର ଆଶ୍ୱାସନା ସତ୍ୱେ ପ୍ରକୃତ ସ୍ଥିତି କିଭଳି ରହିଛି, ତାର ପ୍ରମାଣ ଦେଉଛି ଦିଲ୍ଲୀରେ ଥିବା ଲୋକନାୟକ ଜୟପ୍ରକାଶ ହସ୍ପିଟାଲରୁ ପ୍ରତିଦିନ ଆସୁଥିବା ଉଦବେଗଜନକ ଚିତ୍ର ।

କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର କିଭଳି ସାଂଘାତିକ ସ୍ଥିତି ସୃଷ୍ଟି କରୁଛି, ତାର କରୁଣ ଚିତ୍ର ସବୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆସିବାରେ ଲାଗିଛି । ହସ୍ପିଟାଲରେ ଗୋଟିଏ ବେଡ ପାଇଁ ଘଂଟା ଘଂଟା ଧରି ବାହାରେ ଅପେକ୍ଷା କରିଛନ୍ତି ଆକ୍ରାନ୍ତ । କିଏ ଅଟୋରେ ଆସିଛି ତ ପୁଣି କିଏ ଆମ୍ବୁଲାନ୍ସ ଆଉ କିଏ ନିଜ ଗାଡିରେ । ଲୋକନାୟକ ଜୟପ୍ରକାଶ ହସ୍ପିଟାଲକୁ ଆସିଥିବା ସବୁ ଆକ୍ରାନ୍ତ ଅଣନିଶ୍ୱାସୀ ହେଇପଡୁଥିବା ଦେଖିବାକୁ ମିଳୁଛି । ଆଉ ହସ୍ପିଟାଲରେ ନିଜ ଆକ୍ରାନ୍ତଙ୍କୁ ଭର୍ତି କରିଦେବା ପାଇଁ ନେହୁରା ହେଉଛନ୍ତି ସମ୍ପର୍କୀୟ ।

ହସ୍ପିଟାଲ ବାହାରେ ଗାଡିରେ ବସିଛନ୍ତି ଜଣେ ବୃଦ୍ଧା । ମୁହଁରେ ଅକ୍ସିଜେନ୍ ମାସ୍କ ଲାଗିଛି ଓ ପାଖରେ ଥୁଆ ହୋଇଛି ଅକ୍ସିଜେନ୍ ସିଲିଣ୍ଡର । ହସ୍ପିଟାଲରେ ବେଡଟିଏ ପାଇବାକୁ ଅନାଇ ରହିଛନ୍ତି ବୟସ୍କ ରୋଗୀ ଜଣକ । ଦିଲ୍ଲୀର ସବୁଠାରୁ ବଡ କୋଭିଡ ହସ୍ପିଟାଲ ଲୋକନାୟକ ଜୟପ୍ରକାଶ- ଏଲଏନଜେପି ହସ୍ପିଟାଲରେ ମଧ୍ୟ ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରିବା ପାଇଁ ହସ୍ପିଟାଲ ବେଡର ଅଭାବ ଦେଖା ଦେଲାଣି । ସେହିପରି ଅନ୍ୟ ଏକ ହସ୍ପିଟାଲ ବାହାରେ ମଧ୍ୟ ମୁହଁରେ ଅକ୍ସିଜେନ ମାସ୍କ ପିନ୍ଧି ଭର୍ତି ହେବା ପାଇଁ ଅପେକ୍ଷାରେ ଅଛନ୍ତି ବୃଦ୍ଧ ଆକ୍ରାନ୍ତ ଜଣକ ।

କିଛିଦିନ ତଳେ ସେହି ଏଲଏନଜେପି ହସ୍ପିଟାଲରେ କିଭଳି ଗୋଟିଏ ବେଡରେ ଦୁଇଜଣ କରୋନା ରୋଗୀ ରହିଥିବାର ଚିତ୍ର ଦେଖିଥିଲେ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହିଭଳି ବିକଳ୍ପ ବନ୍ଦୋବସ୍ତ କରିଛନ୍ତି ହସ୍ପିଟାଲ କର୍ତୃପକ୍ଷ । ସେପଟେ ଗୁରୁବାର ଦିନର ଆଉଏକ ଉଦବେଗଜନ ଚିତ୍ର ବି ରହିଛି । ସ୍ତ୍ରୀଙ୍କୁ ବାଇକରେ ବସାଇ ହସ୍ପିଟାଲରେ ପହଂଚିଛନ୍ତି ସ୍ୱାମୀ । ବେଡ ନଥିବା କହି ଏକାଧିକ ହସ୍ପିଟାଲ ଫେରାଇ ଦେବାପରେ ଅବସ୍ଥା ଗୁୁରୁତର ଥିବାରୁ ହସ୍ପିଟାଲରେ ଭର୍ତି କରି ଚିକିତ୍ସା ଆରମ୍ଭ କରିବାକୁ ଅନୁନୟ ହେଉଛନ୍ତି ।