କୋଭିଡ ରୋଗୀଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଶୀଘ୍ର ଯୋଗାଣ ପାଇଁ ଆକାଶପଥରେ ଆରମ୍ଭ ହେଲା ଅକ୍ସିଜେନ ସିଲିଣ୍ଡର ଯୋଗାଣ ।

176

କନକ ବ୍ୟୁରୋ: ଦେଶରେ ଆକାଶପଥରେ ଆରମ୍ଭ ହୋଇଛି ଅମ୍ଲଜାନ ଯୋଗାଣ । ବାୟୁସେନାର ବିଶାଳ କାର୍ଗୋ ବିମାନ ଅକ୍ସିଜେନ୍ ଟ୍ୟାଙ୍କର ନେଇ ଦିଲ୍ଲୀରେ ପହଂଚିଛି । ଏବେର ପରିସ୍ଥିତିରେ ଏହି ଅମ୍ଲଜାନ କରୋନା ଆକ୍ରନ୍ତଙ୍କ ପାଇଁ ସଂଜୀବନୀ ପାଲଟିଛି । ସେହିପରି ତେଲେଙ୍ଗାନା ହାଇଦ୍ରାବାଦରେ ମଧ୍ୟ ଆକାଶପଥରେ ଅମ୍ଲଜାନ ଯୋଗାଣ ଆରମ୍ଭ ହୋଇଛି । ଫଳରେ ଅତି କମ୍ ସମୟ ମଧ୍ୟରେ ଏବେ ଅକ୍ସିଜେନ୍ ଟ୍ୟାଙ୍କର ଯୋଗାଣ ହୋଇପାରୁଛି ।

ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଅମ୍ଳଜାନ ଅଭାବର ଅନେକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ବିଶେଷ କରି ଦିଲ୍ଲୀ ଅଧିକ ପ୍ରଭାବିତ ହୋଇଛି । ଗତ ୨୪ ଘଂଟାରେ ମରଣଯନ୍ତା ପାଲଟିଛି ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲ । ଅମ୍ଲଜାନ ଅଭାବକୁ ନେଇ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ଦିଲ୍ଲୀ ସରକାରଙ୍କ ଉଦ୍ଦେଶ୍ୟରେ ଏର୍ମଜେନ୍ସି ମ୍ୟାସେଜ ଜାରି କରାଯାଇଥିଲା । ଏଠାରେ ଚିକିତ୍ସିତ ହେଉଥିବା ୨୫ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଉ ୬୦ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସଂକଟପନ୍ନ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଏହି ସମୟରେ ହସ୍ପିଟାଲରେ ମାତ୍ର କେଇ ଘଂଟାର ଅମ୍ଲଜାନ ରହିଥିଲା । ତେବେ ଏହାପରେ ପରେ ଡାକ୍ତରଖାନାକୁ ତୁରନ୍ତ ଅମ୍ଲଜାନ ଯୋଗାଇ ଦିଆଯାଇଥିଲା । କୁହାଯାଉଛି ଅମ୍ଲଜାନ ଅଭାବ ଯୋଗୁଁ ୨୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗଙ୍ଗାରାମ ହସ୍ପିଟାଲ ପରି ମେକ୍ସ ହସ୍ପିଟାଲ ମଧ୍ୟ ଅମ୍ଲଜାନ ଅଭାବ ନେଇ ଏସଓଏସ ମ୍ୟାସେଜ ଜାରି କରାଯାଇଥିଲେ । ଡାକ୍ତରଖାନାରେ ପ୍ରାୟ ୬ଶହ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ଅମ୍ଲଜାନ ଅଭାବ ଥିବା ନେଇ ହସ୍ପିଟାଲ କର୍ତୃପକ୍ଷ କେନ୍ଦ୍ର ସରକାର ସମେତ ଦିଲ୍ଲୀ ସରକାରଙ୍କ ଉଦ୍ଦେଶ୍ୟରେ ଏର୍ମଜେନ୍ସି ମ୍ୟାସେଜ ଜାରି କରିଥିଲେ । ଏହାପରେ ପରେ ମେକ୍ସ ହସ୍ପିଟାଲକୁ ମଧ୍ୟ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯାଇଛି ।

ଦିଲ୍ଲୀର ଅନେକ ହସ୍ପିଟାଲରେ ଅମ୍ଲଜାନ ଓ ବେଡ ଅଭାବ ଏବେ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଲୋକେ ନିଜ ସମ୍ପର୍କୀୟଙ୍କ ପାଇଁ ଅମ୍ଲଜାନ ସିଲିଣ୍ଡର ପାଇବା ପାଇଁ ଅକ୍ସିଜେନ ଏଜେନ୍ସି ଠାରେ ଭିଡ ଜମାଉଛନ୍ତି । କେତେକଙ୍କୁ ଅକ୍ସିଜେନ ମିଳୁଥିବା ବେଳେ ଅନେକ ଲୋକ ନିରାଶ ହୋଇ ଫେରୁଛନ୍ତି । ଏସବୁ ଭିତରେ ବିଶାଖପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଛି ଅକ୍ସିଜେନ ଏକ୍ସପ୍ରେସ । ଏହି ଅକ୍ସିଜେନ ଏକ୍ସପ୍ରେସରେ ୭ଟି ଟ୍ୟାଙ୍କରରେ ଅକ୍ସିଜେନ ପଠାଯାଇଛି । ପ୍ରତି ଟ୍ୟାଙ୍କରରେ ରହିଛି ୧୫ ଟନ ଲେଖାଏଁ ତରଳ ମେଡିକାଲ ଅକ୍ସିଜେନ । ସେହିପରି ଝାଡଖଣ୍ଡ ବୋକାରୋରୁ ଉତରପ୍ରଦେଶ ଲକ୍ଷେ୍ନøକୁ ୩ଟି ଅକ୍ସିଜେନ୍ ଭରା ଟ୍ୟାଙ୍କର ନେଇ ଗଡିଛି ଅକ୍ସିଜେନ୍ ଏକ୍ସପ୍ରେସ ।