ସୁଧ କାରବାରରୁ ମହିଳାଙ୍କୁ ଏସିଡ୍ ମାଡ଼ ଅଭିଯୋଗ । କ୍ୟାମେରାରେ କଏଦ ହେଲା ଆଠଗଡ଼ ତିଗିରିଆର ଚିତ୍ର, ବିକଳ ହୋଇ ଦୌଡୁଛନ୍ତି ପୀଡିତା ।

347

କନକ ବ୍ୟୁରୋ: କ୍ୟାମେରାରେ କଏଦ ହେଲା ଆଠଗଡ଼ ତିଗିରିଆରେ ମହିଳାଙ୍କୁ ଏସିଡ଼ ଆକ୍ରମଣର ଚିତ୍ର । ଏସିଡ ମାଡରେ ଦେହ ପୋଡି ଗଲା ପରେ ବିକଳ ହୋଇ ପୀଡିତା ଦୌଡୁଥିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଆଠଗଡ ତିଗିରିଆରେ ଜଣେ ୩୬ ବର୍ଷୀୟ ମହିଳାଙ୍କ ଉପରକୁ ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଛନ୍ତି । ପୀଡିତାଙ୍କୁ କଟକ ଏସସିବିରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି । ସୁଧ କାରବାରକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ବଡ଼ କଥା ହେଉଛି କିଛି ଦିନ ପୂର୍ବରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସେ ପୋଲିସକୁ ସୁରକ୍ଷା ପାଇଁ ମଧ୍ୟ ଆବେଦନ କରିଥିଲେ କିନ୍ତୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇନଥିଲା ।

ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଜର୍ଜରିତ ମହିଳା । ଦୁର୍ବୃତ୍ତଙ୍କ ଏସିଡ ମାଡରେ ଆହତ ମହିଳା ନିଜ ପରିବାରର ସୁରକ୍ଷା ପାଇଁ କରୁଛନ୍ତି ଆକୁଳ ନିବେଦନ । କଟକ ଜିଲ୍ଲା ତିଗିରିଆ ନୂଆପାଟଣାର ମହିଳା ରୀନା ସାହୁଙ୍କ ଘରେ ବୁଧବାର ଭୋରୁ କିଛି ଅସାମାଜିକ ଲୋକ ପଶି ତାଙ୍କ ଉପରକୁ କରିଛନ୍ତି ଏସିଡ ମାଡ । ଯନ୍ତ୍ରଣାରେ ରୀନା ରାସ୍ତାରେ ଧାଉଁଥିବା ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ପ୍ରଥମେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ରୀନା ସାହୁ କହିଛନ୍ତି, ମତେ ଆଜି ସେ ଟାର୍ଗେଟ କରିଥିଲା । ଆଠ ଦିନ ହେଲାଣି ମୁଁ ତିଗିରିଆ ଥାନା ଯାଇଥିଲି, ତହସିଲଦାର ଅଫିସ ଯାଇଥିଲି, ଓକିଲ ପାଖକୁ ଯାଇଥିଲି, ଡିଏସପି ଅଫିସ ଭି ଯାଇଥିଲି । ସେମାନେ କହିଲେ ହଁ ମୋତେ ପ୍ରୋଟେକ୍ସନ ଦେବେ, ହେଲେ ଦେଲେ ନାହିଁ । ମୋ ଘର ଭଡା ଯିବ ବୋଲି ଆଜି ସକାଳୁ ମୁଁ ଘର ସଫା କରୁଥିଲି, ସେମାନେ ଆସି ଓଜାଡିଦେଇ ପଳେଇଲେ । ଦିଇଟା ଲୋକ ଆସିଥିଲେ, କାନ୍ଥ କଡରେ କଡରେ । କହିଲେ ଆମେ ଓଜାଡିଛୁ, ପ୍ରମାଣ ଛାଡିକି ଯାଉଛୁ ତୁ ପ୍ରମାଣ ଖୋଜ ।

ତେବେ ସୂଚନା ଅନୁସାରେ ସୁଧ ଟଙ୍କାକୁ ନେଇ ରୀନା ସାହୁଙ୍କର ସେହି ଗ୍ରାମର କିଛି ଲୋକଙ୍କ ସହ ବିବାଦ ଥିଲା । ପୂର୍ବରୁ ଏହି ଘଟଣା ଥାନାରେ ସମାଧାନ ହୋଇଥିଲେ ମଧ୍ୟ ସେହି ଲୋକ ମାନେ ତାଙ୍କୁ ବିଭିନ୍ନ ସମୟରେ ସୁଧ ବାବଦ ଟଙ୍କା ପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରୀନା ।

ମହିଳାଙ୍କୁ ପ୍ରଥମେ କଟକ ବଡ ମେଡିକାଲର କାଜୁଆଲିଟିରେ ପ୍ରାଥମିକ ଚିକିତ୍ସା ପରେ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି । ତେବେ ରୀନାଙ୍କ ଅବସ୍ଥା ସ୍ଥିର ଅଛି ଓ ସେ ବିପଦମୁକ୍ତ ଥିବା କହିଛନ୍ତି ହସ୍ପିଟାଲ କର୍ତୃପକ୍ଷ । ତିଗିରିଆ ପୋଲିସ ଏବେ ମହିଳାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଘର ମାମ୍ନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏସିଡ ମାଡ ପରେ ରୀନା ଯନ୍ତ୍ରଣାରେ ରାସ୍ତାରେ ଦୌଡୁଥିବା ଦେଖିବାକୁ ମିଳୁଛି । ତେଣୁ ଏହି କ୍ୟାମେରା ଫୁଟେଜକୁ ତନ ତନ କରି ଯାଞ୍ଚ କରୁଛି ପୋଲିସ ।