ନୂଆ ସଂସଦ ଭବନର ଅଶୋକସ୍ତମ୍ଭକୁ ନେଇ ତେଜିଲା ବିବାଦ। ସ୍ଥପତି କହିଲେ, ବଦଳା ଯାଇନି ମୂଳ ଡିଜାଇନ।

165

କନକ ବ୍ୟୁରୋ: ବିବାଦର କେନ୍ଦ୍ରସ୍ଥଳରେ ଏହି ସିଂହମୂର୍ତ୍ତି । ଭାରତର ଜାତୀୟ ପ୍ରତୀକ ଅଶୋକସ୍ତମ୍ଭ । ତେବେ ଚିତ୍ରରେ ଆପଣ ଦେଖୁଥିବା ଦୁଇଟି ଫଟୋ ମଧ୍ୟରୁ ଗୋଟିଏ ସାରନାଥର ସିଂହ ମୂର୍ତ୍ତି ଓ ଅନ୍ୟଟି ହେଉଛି ନୂଆ ସଂସଦଭବନ ଉପରେ ସ୍ଥାପନ କରାଯାଇଥିବା ଅଶୋକ ସ୍ତମ୍ଭ । ଦୁଇଟି ଯାକ ଫଟୋରେ ସିଂହମୂର୍ତ୍ତି ପ୍ରାୟ ଏକାପରି ଲାଗୁଥାଇପାରେ । ତେବେ ସିଂହ ପ୍ରତିମୂର୍ତ୍ତିର ରୂପରେଖକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେମାନଙ୍କ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଅଶୋକ ସ୍ତମ୍ଭରେ ଥିବା ସିଂହ ମୂର୍ତ୍ତିଶାନ୍ତ ସରଳ ମୁଦ୍ରାରେ ଥିବାବେଳେ ଏହାକୁ ଏବେ ଆକ୍ରମଣାତ୍ମକ୍ର ଭଙ୍ଗିରେ ନିର୍ମାଣ କରାଯାଇଛି । କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ଅଶୋକ ସ୍ତମ୍ଭରେ ପରିବର୍ତ୍ତନ ରାଷ୍ଟ୍ରୀୟ ପ୍ରତୀକର ଅପମାନ । ସେହିପରି ବିଶିଷ୍ଟ ଓକିଲ ପ୍ରଶାନ୍ତ ଭୂଷଣ ଟୁଇଟ କରି ଲେଖିଛନ୍ତି ଯେ, ସାରନାଥର ସିଂହମୂର୍ତ୍ତି ଶାନ୍ତ ଓ ସୌମ୍ୟ ଥିବା ବେଳେ ଏବେକାର ମୂର୍ତ୍ତିରେ ସିଂହ ଉଗ୍ର ଓ ଦାନ୍ତ ବାହାର କରି ରହିଛି । ଏହା ମୋଦିଙ୍କ ନୂଆ ଭାରତ ବୋଲି ସେ ଲେଖିଛନ୍ତି । ଟିଏମସି ନେତ୍ରୀ ମହୁଆ ମୈତ୍ରା ମଧ୍ୟ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ।

ତେବେ ଏସବୁ ବିବାଦ ଭିତରେ ଏକ ବଡ଼ ପ୍ରଶ୍ନ ମନକୁ ଆସେ । ତାହାହେଲା ଜାତୀୟ ପ୍ରତୀକ କିମ୍ବା ଏହାର ଡିଜାଇନକୁ କେନ୍ଦ୍ର ସରକାର ବଦଳାଇ ପାରିବେ କି ? ଏନେଇ ଷ୍ଟେଟ ଏମ୍ବଲେମ ଅଫ୍ ଇଣ୍ଡିଆ ଆକ୍ଟ ୨୦୦୫କୁ ବିଚାରକୁ ନିଆଯାଇପାରେ । ଏଥିରେ କ’ଣ କୁହାଯାଇଛି ନଜର ପକାନ୍ତୁ …

ଏଥିରେ କୌଣସି ବ୍ୟକ୍ତି ଦ୍ୱାରା ଜାତୀୟ ପ୍ରତୀକର ଦୁର୍ବ୍ୟବହାର ରୋକିବା ସମ୍ପର୍କରେ କୁହାଯାଇଛି ସେକସନ୍ ୬ରେ କୁହାଯାଇଛି ଯେ, ଜାତୀୟ ପ୍ରତୀକର ଡିଜାଇନ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ରହିଛି । ଏହାସହ କେନ୍ଦ୍ର ସରକାର ଜାତୀୟ ପ୍ରତୀକର ବ୍ୟବହାର ନେଇ ମଧ୍ୟ ନିଷ୍ପତ୍ତି ନେଇପାରିବୋ

ବିରୋଧୀଙ୍କ ସମାଲୋଚନା ପରେ ମୋଦି ସରକାର ସ୍ପଷ୍ଟୀକରଣ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ କରି କହିଛନ୍ତି ଯେ, ଅଶୋକ ସ୍ତମ୍ଭର କୌଣସି ବିଶେଷତ୍ୱକୁ ପରିରବର୍ତନ କରାଯାଇ ନାହିଁ । ବରଂ ବିରୋଧୀ ନିଜର ଦେଖିବାର ଶୈଳୀକୁ ବଦଳାଇବା ଆବଶ୍ୟକ । ସାରନାଥର ମୂଳ ଅଶୋକ ସ୍ତମ୍ଭର ଉଚ୍ଚତା ୧ ଦଶମିକ ୬ ମିଟର ଥିବା ବେଳେ ନୂଆ ସଂସଦ ଭବନରେ ସ୍ଥାପନ କରାଯାଇଥିବା ଅଶୋକ ସ୍ତମ୍ଭର ଉଚ୍ଚତା ସାଢ଼େ ୬ ମିଟର ରହିଛି । ଏହାସହ ସାରନାଥର ଅଶୋକ ସ୍ତମ୍ଭ ଭୂମି ଉପରେ ରହିଥିଲା । ହେଲେ ନୂଆ ଅଶୋକ ସ୍ତମ୍ଭ ମାଟି ଠାରୁ ୩୩ ମିଟର ଉଚ୍ଚରେ ରହିଛି । ତେଣୁ ବିରୋଧୀକୁ ନିଜର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବା ଜରୁରୀ ବୋଲି କହିଛନ୍ତି । ସେପଟେ ପ୍ରସିଦ୍ଧ ଅଭିନେତା ଅନୁପମ ଖେର ଲେଖିଛନ୍ତି ଯେ, ଏହା ସ୍ୱତନ୍ତ୍ର ଭାରତର ଅଶୋକ ସ୍ତମ୍ଭ । ଯଦି ଏଥିରେ ସିଂହ ଆକ୍ରମଣାତ୍ମକ ମୁଦ୍ରାରେ ଦାନ୍ତ ଦେଖାଉଛି ଏଥିରେ ଭୁଲ କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅଶୋକ ସ୍ତମ୍ଭକୁ ୧୯୫୦ ମସିହାରୁ ଭାରତର ଜାତୀୟ ପ୍ରତିକ ଭାବେ ଭାବେ ଗଣାଯାଉଛି । ମୂଳ ଅଶୋକ ସ୍ତମ୍ଭ ସମ୍ରାଟ ଅଶୋକଙ୍କ ଅମଳରେ ସ୍ଥାପନ କରାଯାଇଥିଲା ବୋଲିି ଏତିହାସିକମାନେ ମତ ଦିଅନ୍ତି ।