ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢୁଛି ଭିଡିଓ ଗେମ୍ସ। ଏଭଳି ଦେଶ ଅଛି ଯେଉଁଠାରେ ସ୍କୁଲ ପାଠ୍ୟକ୍ରମରେ ଭିଡିଓ ଗେମ୍ସ ସାମିଲ। ପଢନ୍ତୁ କେଉଁଠି …

113

କନକ ବ୍ୟୁରୋ: ଅନଲାଇନ ଭିଡିଓ ଗେମ୍ସକୁ ନେଇ ଆମମାନଙ୍କ ମନରେ ଭିନ୍ନ ଧାରଣା ରହିଛି । ପିଲାମାନଙ୍କୁ ଏହାର ଅଭ୍ୟାସ ଲାଗିଲେ ସେମାନଙ୍କ ପାଠପଢା ପ୍ରଭାବିତ ହୋଇଥାଏ ବୋଲି ଅନେକ ବିଶ୍ୱାସ କରନ୍ତି । ଅନେକ ତ ଏହା ମଧ୍ୟ ଭାବିଥାନ୍ତି ଭବିଷ୍ୟତରେ ତାଙ୍କର କ୍ୟାରିୟରକୁ ଏହା ପ୍ରଭାବ ପକାଇଥାଏ । ଖାସକରି ବର୍ତ୍ତମାନ ସମୟରେ ପବଜି ଭଳି ଭିଡିଓ ଗେମ୍ସ ସମାଜ ଉପରେ ଖରାପ ପ୍ରଭାବ ପକାଇଛି । ଏହି କାରଣରୁ ଅନେକ ଆତ୍ମହତ୍ୟା କରୁଥିବାର ଘଟଣାବି ସାମ୍ନାକୁ ଆସିଛି । ବ୍ୟାନ ଲଗାଇବା ପରେ ବି ଏହିଭଳି ଅନେକ ଗେମ୍ସ ନାଁ ବଦଳାଇ ପୁଣି ସାମ୍ନାକୁ ଆସୁଛନ୍ତି । ପିଲାଙ୍କ ପାଇଁ ମଧ୍ୟ ଏହା ସାଧାରଣରେ ଉପଲବ୍ଧ ହେଉଛି । ତେବେ ଏଭଳି ଘଟଣା ପରେ ଭିଡିଓ ଗେମ୍ସ ପ୍ରତି ଅନେକ ପ୍ରକାର ଖରାପ ଧାରଣା ଲୋକଙ୍କ ମନରେ ଆସୁଛି । କିନ୍ତୁ, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି କିଛି ଦେଶ ରହିଛି ଯେଉଁଠାରେ ଭିଡଓ ଗେମ୍ସ ସ୍କୁଲର ପାଠ୍ୟକ୍ରମରେ ସାମିଲ ରହିଛି ।

ପୋଲାଣ୍ଡ ହେଉଛି ଗୋଟିଏ ଦେଶ ଯେଉଁଠାରେ ଭିଡିଓ ଗେମ୍ସକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଏଭଳି କରିବାରେ ପୋଲାଣ୍ଡ ବିଶ୍ୱର ପ୍ରଥମ ଦେଶ । ତେବେ ତୁର୍କୀରେ ମଧ୍ୟ ଭିଡିଓ ଗେମ୍ସ ବର୍ତ୍ତମାନ ସିଲାବସରେ ସାମିଲ ହୋଇଛି । ପୋଲାଣ୍ଡରେ ଯେଉଁ ଗେମ୍ସକୁ ସିଲାବସରେ ସାମିଲ କରାଯାଇଛି ସେହି ଗେମ୍ସର ନାଁ ହେଉଛି ଦି ୱାର ଅଫ୍ ମାଇନ । ଏହା ସାଧାରଣ ଭିଡିଓ ଗେମ୍ସଠାରୁ ଭିନ୍ନ । ପୋଲାଣ୍ଡ ସରକାରଙ୍କ କହିବା କଥା ଏହା ଶିଶୁମାନଙ୍କ ମଧ୍ୟରେ ଭୁଲ ନୁହେଁ ଉତ୍ତମ ମାହୋଲ ତିଆରି କରେ । ସେମାନଙ୍କ ମନରେ ନମ୍ର ଏବଂ ଅନ୍ୟମାନଙ୍କ ପ୍ରତି ସହଯୋଗର ଭାବ ସୃଷ୍ଟି କରେ ।

ସ୍ଥାନୀୟ ସରକାର ମଧ୍ୟ ଦି ୱାର ଅଫ୍ ମାଇନ ଗେମ୍ସକୁ ମଞ୍ଜୁରୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମାଟ୍ୟୁଜ୍ ମୋରାବିଏକିଙ୍କ ମଞ୍ଜୁରୀ ମିଳିବା ପରେ ଏହାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଥିଲା । ଏହା ହେଉଛି ପ୍ରଥମ ଭିଡିଓ ଗେମ୍ସ ଯାହାକୁ ସ୍କୁଲରେ ଶିକ୍ଷା ପାଇଁ ରାଷ୍ଟ୍ରୀୟସ୍ତରରେ ମାନ୍ୟତା ମିଳିଛି ।

ପ୍ରଶ୍ନ ଏହା ଉଠୁଛି ଯେ, ପାଠପଢାରେ ଭିଡିଓ ଗେମ୍ସ କାହିଁକି? ଏହାଠାରୁ ମଧ୍ୟ ବଡ ପ୍ରଶ୍ନ ଏହି ଭିଡିଓ ଗେମ୍ସରେ ରହିଛି କଣ? ଏହି ଗେମ୍ସର ସ୍ୱତନ୍ତ୍ର ଫିଚର୍ସ ରହିଛି । ଦି ୱାର ଅଫ୍ ମାଇନ ଗେମ୍ସର ଅର୍ଥ ଏହା ମୋର ଯୁଦ୍ଧ, ଏହାକୁ ୧୧-ବିଟ୍ ଷ୍ଟୁଡିଓ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଛି । ଏହାକୁ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅନେକ ପୁରସ୍କାର ମିଳିସାରିଛି । ୧୯୯୦ ଦଶକରେ ସାରାଜେବୋଙ୍କୁ ଘେରାବନ୍ଦୀ ସମୟରେ ବେସ୍ତ୍ରିୟାର ଲୋକଙ୍କ ଦୁର୍ଦଶା ଉପରେ ଏହା ଆଧାରିତ ରହିଛି । ଏଥିରେ ଦେଖାଯାଇଛି ଯୁଦ୍ଧ ପରେ ଦେଶର ସାଧାରଣ ଲୋକେ କେଉଁଭଳି ପ୍ରଭାବିତ ହୋଇଛନ୍ତି ।

ଦି ୱାର ଅଫ୍ ମାଇନ ଗେମ୍ସ ବାବଦରେ ଜାଣିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଶିଶୁଙ୍କୁ ଏହା ନାଗରିକବୋଧ ଅର୍ଥାତ ନାଗରିକ ଭାବେ ସେମାନଙ୍କର କର୍ତ୍ତବ୍ୟ ବାବଦରେ ଅବଗତ କରାଇଥାଏ । ରିପୋର୍ଟ ଅନୁସାରେ ପିଲାମାନଙ୍କୁ ସମାଜଶାସ୍ତ୍ର, ନୈତିକତା, ଦର୍ଶନ ଏବଂ ଇତିହାସ ଜଣାଇଥାଏ । ସେମାନଙ୍କୁ ସବୁକିଛି ଶିଖିବାରେ ସହ ଜାଣିବାରେ ବି ସହଯୋଗ କରିଥାଏ ।