କିଏ ଦେଲା ବାତ୍ୟାର ନାଁ ‘ଜୱାଦ’? କାହିଁକି ହେଲା ବାତ୍ୟାର ଏପରି ନାମକରଣ?

365

କନକ ବ୍ୟୁରୋ: ଓଡିଶା ଉପକୂଳ ମୁହାଁ ହେଉଛି ବାତ୍ୟା ଜୱାଦ । ହେଲେ ଏହି ବାତ୍ୟା ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ଦୁର୍ବଳ ହେଉଥିଲେ ବି ଏହାର ପ୍ରଭାବରେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆଜି ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଉପକୂଳ ଓଡିଶା, ଉତର ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ପବନର ବେଗ କମ ହେବ । ପବନର ବେଗ ଘଂଟାପ୍ରତି ୫୦ ରୁ ୬୦ କିଲୋମିଟର ହେବ । କେବେ ନା କେବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସିଥିବ ଭୂପୃଷ୍ଠରେ ତାଣ୍ଡବ ରଚୁଥିବା ଏହି ବାତ୍ୟା ମାନଙ୍କର ନାଁ ଏପରି କାହିଁକି ହୋଇଛି । କିଏ ବାତ୍ୟା ଗୁଡିକର ନାଁ ଏଭଳି ଦେଉଛି । ତେବେ ଆସନ୍ତୁ ଆଜି ଜାଣିବା ବାତ୍ୟା ଗୁଡିକର ଏଭଳି ନାଁ ପଛର ରହସ୍ୟ ବିଷୟରେ ।

ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ଜୱାଦର ନାଁ ଏଥର ଦେଇଛି ସାଉଦି ଆରବ । ଆରବି ଭାଷାରେ ଏହାର ଅର୍ଥ ହେଉଛି ଉଦାର ବା ଦୟାଳୁ। ସାମୁଦ୍ରିକ ଝଡର ଏଭଳି ନାମକରଣ ପରମ୍ପରା ବହୁ ଆଗରୁ ଚାଲିଆସିଛି । ସମୁଦ୍ରରୁ ସୃଷ୍ଟି ହେଉଥିବା ପ୍ରତି ବତ୍ୟାର କିଛି ନା କିଛି ନାଁ ରହିଥାଏ । ଆଉ ତା ପଛରେ ଏକ ରୋମାଞ୍ଚକର ଅର୍ଥ ମଧ୍ୟ ରହିଥାଏ ।

କୁହାଯାଏ ଯେ ପୂର୍ବରୁ ବତ୍ୟାର କୌଣସି ନାମକରଣ ହେଉନଥିଲା । ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ଅନେକ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାହାର କୌଣସି ନାମକରଣ ନଥିଲା । ତେଣୁ ୨୦୦୦ ମସିହାରେ ବାତ୍ୟା ନାମକରଣର ପରମ୍ପରା ଆରମ୍ଭ ହୋଇଥିଲା । ପ୍ରଥମେ ଭାରତ ମହାସାଗର କ୍ଷେତ୍ରର ୮ଟି ଦେଶ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେହି ଦେଶ ଗୁଡିକ ହେଲେ ଭାରତ, ବାଂଲାଦେଶ, ମାଲଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ ଓ ଶ୍ରୀଲଙ୍କା ।

ସେବେଠୁ ସମୁଦ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ଆରମ୍ଭ ହୋଇଥିଲା । ଏହାପରେ ୨୦୧୮ ମସିହାରେ ଇରାନ, କତର, ସାଉଦି ଆରବ, ୟୁଏଇ ଓ ୟମେନ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ନାମକରଣ କରିଥାନ୍ତି ।

ଏହି ନାମକରଣ କରିବାର ମଧ୍ୟ ପ୍ରକ୍ରିୟା ରହିଛି । ଆଲଫାବେଟ ସିଷ୍ଟମରେ ବାତ୍ୟାର ନାମକରଣ ହୋଇଥାଏ । ଅର୍ଥାତ ଯଦି ଭାରତ ମହାସାଗରରେ ବାତ୍ୟା ଆସେ ତେବେ ଆଲଫାବେଟ ଅନୁସାରେ ଯେଉଁ ଦେଶର ନାଁ ଆଗ ଆସିବ ସେହିଁ ବାତ୍ୟାର ନାମକରଣ କରିବ । ଯେମିତିକି ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବରର ନାଁ ପାକିସ୍ତାନ ଦେଇଥିଲା । ସେହି ଆଲଫାବେଟ ଅନୁସାରେ ବର୍ତ୍ତମାନ ବାତ୍ୟା ଜୱାଦର ନାଁ ସାଉଦି ଆରବ ଦେଇଛି ।