ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ୬୭ ବର୍ଷ ବୟସରେ ଆଖି ବୁଜିଲେ ବିନୋଦ ।

212

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ୬୭ ବର୍ଷ ବୟସରେ ଆଖି ବୁଜିଲେ ଲୋକପ୍ରିୟ ସାମ୍ବାଦିକ ବିନୋଦ । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିନୋଦ । ଦୀର୍ଘ କିଛି ଦିନ ହେବ ଅସୁସ୍ଥ ହେବା ପରେ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ବିନୋଦଙ୍କ ପରଲୋକ ନେଇ ସୋସିଆଲ ମିଡ଼ିଆରେ ଝିଅ ମଲ୍ଲିକା ଦୁଅ ସ୍ପଷ୍ଟ କରିଛନ୍ତି । ଆଉ ଏହି ଖବର ପୂରା ଗଣମାଧ୍ୟମ ଜଗତକୁ ସ୍ତବ୍ଧ କରିଦେଇଛି ।

ଝିଅ ମଲ୍ଲିକା ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୋର ନିର୍ଭୀକ ଓ ଅସାଧାରଣ ବାପା ଆଉ ନାହାନ୍ତି । ଦିଲ୍ଲୀର ଶରଣାର୍ଥୀ କ୍ୟାମ୍ପରୁ  ସାମ୍ବାଦିକତା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବିନୋଦ । ସେ ସବୁବେଳେ ସତ କହୁଥିଲେ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ଲୋଧୀ ଶଶ୍ମାନ ଘାଟରେ କରାଯିବ । ଏହାପୂର୍ବରୁ ବିନୋଦ ଓ ତାଙ୍କର ପତ୍ନୀ କରୋନାରେ ପୀଡିତ ହୋଇଥିଲେ  ।ତେବେ ମହାମାରୀ ସହ ମହାସଂଗ୍ରାମ କରି ସୁସ୍ଥ ହୋଇ ଫେରିଥିଲେ ବିନୋଦ । କିନ୍ତୁ ଜୁନ୍ ୧୨ରେ ତାଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଥିଲା ।

ଟିଭି ସାମ୍ବାଦିକତାରେ ବେଶ ଲୋକପ୍ରିୟ ଥିବା ବିନୋଦ ଦୀର୍ଘ ୪୨ ବର୍ଷ ହେବ ସାମ୍ବାଦିକତା ଜଗତରେ କାର୍ଯ୍ୟ କରି ଆସିଛନ୍ତି । ଖାସକରି ଦୂରଦର୍ଶନ ଓ ଏନଟିଭିରେ ଦୀର୍ଘ ବର୍ଷ ଧରି କାମ କରିଛନ୍ତି ବିନୋଦ । ତେବେ ଗତ କିଛି ବର୍ଷ ହେବ ଏକ ପୋର୍ଟାଲରେ କାର୍ଯ୍ୟ କରି ଆସୁଥିଲେ ବିନୋଦ । ଖାସକରି ସରକାରଙ୍କ ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ତଥ୍ୟଭିତ୍ତିକ ପ୍ରଶ୍ନ ଉଠାଇ ଡିଜିଟାଲ ମିଡ଼ିଆରେ ବେଶ ଚର୍ଚ୍ଚାକୁ ଆସିଥିଲେ ବିନୋଦ । ଖାସକରି ବିନୋଦଙ୍କ ତଥ୍ୟ ଭିତ୍ତିକ ସୋ ଦେଖିବାକୁ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ ରହିଥିଲା । ବିନୋଦଙ୍କ ପରଲୋକରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।