କୁଆଡ଼େ ଗଲେ ନନ୍ଦକିଶୋର? ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ କୁଆଡେ ହୋଇଗଲେ ନିଖୋଜ ।

177

କନକ ବ୍ୟୁରୋ: ଚନ୍ଦକା ଡମପଡ଼ା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ପ୍ରତିଦିନ ପ୍ରାୟ ୫ ଖଣ୍ଡ ଗାଁ ବୁଲି ବେପାର କରନ୍ତି ନନ୍ଦକିଶୋର ବେହେରା । ୮ ଦିନ ତଳେ ଅର୍ଥାତ ଗତ ରବିବାର ଦିନ ମଧ୍ୟ ବେପାର ପାଇଁ ଯାଇଥିଲେ, କିନ୍ତୁ ଆଉ ଘରକୁ ଫେରିନାହାନ୍ତି । ଏହାପରେ ଘର ଲୋକ ଖୋଜାଖୋଜି କରି ବିଫଳ ହେବା ପରେ ଥାନାରେ ଅଭିଯୋଗ କରିଥିଲେ ।

ଏପଟେ ଜଙ୍ଗଲ ମଝିରେ ମିଳିଛି ତାଙ୍କ ଗାଡ଼ି, ଚପଲ ଆଉ ସାଙ୍ଗରେ ନେଇଥିବା କପଡ଼ା ମୁଣି । ଏହି ସମୟରେ ଜଙ୍ଗଲ ଭିତରେ ଏକ ଅଜଗର ସାପ ଦେଖିଥିଲେ ଗ୍ରାମବାସୀ । କିଛି ଗିଳି ଦେଇଥିବାରୁ ସାପର ପେଟ ଫୁଲିକି ରହିଥିଲା । ନନ୍ଦକିଶୋରଙ୍କୁ ଅଜଗର ଗିଳିଦେଇଥିବା ସଂଦେହ କରି ସାପର ଏକ୍ସ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକ ।

ସପ୍ତାହେ ହୋଇଗଲାଣୀ, ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ନନ୍ଦକିଶୋରଙ୍କ ସ୍ତ୍ରୀ । ମନକୁ ବାରମ୍ବାର ପାପ ଛୁଉଁଛି ସତ, ହେଲେ ସ୍ୱାମୀ ଫେରିବେ ବୋଲି ସେ ଆଶା ରଖିଛନ୍ତି । ନନ୍ଦକିଶୋର ନିଖୋଜ ଅଭିଯୋଗ ହେବା ପରେ ସନ୍ଧାନୀ କୁକୁରକୁ ନେଇ ଖୋଜାଖୋଜି କରିଥିଲା ବାଙ୍କୀ ପୁଲିସ । ଏହାପରେ ତଦନ୍ତ ଆଉ କିଛି ଆଗକୁ ଯାଇନି । ତେବେ ଏ ନେଇ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପୁଲିସ ଅବଗତ କରାଯାଇଥିବା କହିଛନ୍ତି ଆଇଆଇସି ।

ଅତି ରହସ୍ୟଜନକ ଭାବେ ନନ୍ଦକିଶୋରଙ୍କ ନିଖୋଜ ଘଟଣା ପରେ ଅନେକ ପ୍ରଶ୍ନ ଉଠିଛି…

  • ଅଭୟାରଣ୍ୟରୁ କେମିତି ଉଭାନ ହୋଇଗଲେ ନନ୍ଦକିଶୋର?
  • ଗାଡ଼ି, ଚପଲ, କପଡ଼ା ମୁଣି ଛାଡ଼ି କୁଆଡ଼େ ଗଲେ ନନ୍ଦକିଶୋର?
  • ତଦନ୍ତରେ ଅବହେଳା କରୁଛି କି ପୁଲିସ?
  • କେତେ ସତ ଅଜଗର ଗିଳିଦେବା ଅଭିଯୋଗ?
  • ହତ୍ୟା, ଅପହରଣ ଭଳି ଘଟିଛି କି ସଂଗୀନ ଅପରାଧ?