ବାପା ଥିଲେ ନାର୍କେଟିକ୍ କଣ୍ଟ୍ରୋଲ ଆମ୍ବାସାଡର । ଡ୍ରଗ୍ସ କାରବାରରେ ଧରାପଡି ଜେଲ ଗଲା ପୁଅ

523
କନକ ବ୍ୟୁରୋ: ଯେବେ ଡ୍ରଗ୍ସ ସେବନ କରିବା ସହ ଏହି କାରବାରରେ ସମ୍ପୃକ୍ତି ନେଇ ଗିରଫ ହେଲା ପୁଅ ।  ଗଣମାଧ୍ୟମରେ ସାରା ଦେଶବାସୀଙ୍କ ଆଗରେ ମୁଣ୍ଡ ନୁଆଁଇ କ୍ଷମା ମାଗିଲେ ବାପା । ସେ ଆଉ କେହି ନୁହଁନ୍ତି ଚାଇନାର ଲୋକପ୍ରିୟ ଅଭିନେତା ଜ୍ୟାକି ଚୈନ୍ ।
ବଲିଉଡରୁ ଆରମ୍ଭ କରି ହଲିଉଡ୍ ସବୁବେଳେ ବିବାଦ ଘେରରେ ।ଏହି ଗ୍ଲାମର ଦୁନିଆଁର  ଅଭିନେତା , ଅଭିନେତ୍ରୀଙ୍କ ଜୀବନରେ ସବୁବେଳେ କିଛି ନା କିଛି ସମସ୍ୟା ଲାଗିରହିଥାଏ । ଏଥିରୁ ବାଦ ପଡିନାହାଁନ୍ତି ପ୍ରଖ୍ୟାତ ଆକ୍ସନ ହିରୋ ଜ୍ୟାକି ଚୈନ୍ । ଯେଉଁ ଜ୍ୟାକିଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ପାଗଳ , ନିଜ ପୁଅ ଲାଗି ଦିନେ ସାରା ଦେଶବାସୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ । ଆଉ ପୁଅର ଅପରାଧ ପାଇଁ କ୍ଷମା ବି ମାଗିଲେ ।

 

୨୦୧୪ ମସିହାର ଘଟଣା । ଯେତେବେଳେ ଜ୍ୟାକିଙ୍କ ପୁଅ ଜୈସି ଚୈନଙ୍କୁ ଗିରଫ କଲା ପୋଲିସ । ଏକାଧାରରେ ଜଣେ ଅଭିନେତା ଓ ସଙ୍ଗୀତକାର ଜୈସିଙ୍କୁ ଡ୍ରଗ୍ସ ନେବା ସହ ଏହି କାରବାରରେ ସହଯୋଗ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ଜୈସିଙ୍କ ପାଖରୁ ୧୦୦ ଗ୍ରାମର ନାର୍କେଟିକ୍ସ ମିଳିଥିଲା । ଜୈସି ନିସିଦ୍ଧ ପ୍ରଦାର୍ଥ ସେବନ କରୁଥିବା ମେଡିକାଲ ଟେଷ୍ଟରେ ମଧ୍ୟ ପ୍ରମାଣିତ ହୋଇଥିଲା । ତାଙ୍କର ସହଯୋଗୀ ଥିଲେ ଜଣେ ତାଇୱାନ ୍ଅଭିନେତା । ଗିରଫ ପରେ ବେଜିଙ୍ଗ ଡଙ୍ଗଚେଙ୍ଗ ଜିଲ୍ଲା କୋର୍ଟରେ ଡ୍ରଗ୍ସ ଗ୍ରହଣ କରୁଥିବା ସ୍ୱୀକାର କରିଥିଲେ ଜୈସି  । କେବଳ ଏତିକି ନୁହେଁ ଡ୍ରଗ୍ସ ସେବନ କରିବାକୁ ସେ ଅନ୍ୟମାନଙ୍କୁ ନିଜ ଆପାର୍ଟମେଣ୍ଟରେ ସହଯୋଗ ମଧ୍ୟ କରୁଥିଲେ ।ଦୋଷୀ ପ୍ରମାଣିତ ହେବା ପରେ ଜୈସିଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୩ ହଜାର ଟଙ୍କା ଜରିମାନା ହୋଇଥିଲା ।

 

ଏହି ମାମଲାରେ ପ୍ରଖ୍ୟାତ ଆକ୍ଟର ତଥା ଜୈସି ଚୈନଙ୍କ ବାପା ଜ୍ୟାକି ଚୈନଙ୍କ ମୁଣ୍ଡ ଲଜ୍ଜାରେ ନଇଁଯାଇଥିଲା । କିନ୍ତୁ ମୁହଁ ଲୁଚାଇବା ବଦଳରେ ସର୍ବ ସମକ୍ଷରେ ପୁଅର ଦୋଷକୁ  ସ୍ୱୀକାର କରିଥିଲେ । ଆଉ କହିଥିଲେ ‘ ପୁଅ ଯୋଗୁଁ ମୁଁ ଲଜ୍ଜିତ । ପୁଅ ଉପରେ ମୁଁ କ୍ଷୁବ୍ଧ । ଜୈସି ଚୈନଠାରୁ ସବୁ ଯୁବକଙ୍କୁ ଶିକ୍ଷା ଗ୍ରହଣ କରିବା ଉଚିତ । ନିଶା ସେବନ ଠାରୁ ଦୂରେଇ ରହିବାକୁ ମୁଁ ଅନୁରୋଧ କରୁଛି । ବୋଧହୁଏ ପୁଅକୁ ଭଲ ସଂସ୍କାର ଦେଇପାରିଲିନାହିଁ । ଏସବୁ ପାଇଁ ମୁଁ ଦାୟୀ । ସମାଜ ଆଗରେ ପୁଅର ଭୁଲ ପାଇଁ ମୁଁ ମୁ୍ଣ୍ଡ ନୁଆଁଇ କ୍ଷମା ମାଗୁଛି’ ।

 

ସୂଚନା ମୁତାବକ, ୨୦୦୯ରେ ଚୀନ ପୋଲିସ ଜ୍ୟାକେି ଚୈନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ଆମ୍ବାସାଡର ଭାବେ ଘୋଷଣା କରିଥିଲା । ଚୀନରେ ଚାଲିଥିବା ଡ୍ରଗ୍ସ ବିରୋଧୀ ଅଭିଯାନରେ ଜ୍ୟାକି ଥିଲେ ମୁଖ୍ୟ ପୁରୋଧା ।କିନ୍ତୁ ନିଜ ପୁଅ ଯେତେବେଳେ ଡ୍ରଗ୍ସ ମାମଲାରେ ଗିରଫ ହେଲା ସେତେବେଳେ ଜ୍ୟାକିଙ୍କ ଅବସ୍ଥା ସହଜେ ଅନୁମେୟ  । ଏହାପରେ ନିଜର ସମସ୍ତ ସମ୍ପତ୍ତିରୁ ପୁଅ ଜୈସିକୁ ବାଜ୍ୟାପ୍ତ କରିଥିଲେ । ନିଜ ରୋଜଗାରରେ ନିଜେ ଚଳିବାକୁ  ଏକ ସାକ୍ଷାତକାରରେ କହିଥିଲେ ଜ୍ୟାକି ।

 

ଏଯାଏଁ ଜ୍ୟାକି ଜୈନଙ୍କର  ୨୬୨୮,୯୧ କୋଟିରୁ ଉଦ୍ଧ୍ୱର୍ ସମ୍ପତ୍ତି ରହିଛି । ହେଲେ ପୁଅର ଏହି ଘଟଣା ପରେ ସେ ସବୁ ସମ୍ପତ୍ତିରୁ ପୁଅକୁ ଦୂରେଇ ଦେଇଥିଲେ ।