ଡେଲଟା ପରେ କାପ୍ପା ଚିନ୍ତା : ଜାଣନ୍ତୁ କ’ଣ ଏହି କାପ୍ପା ଭାଇରସ୍ ? ଏହି ଭୂତାଣୁକୁ ଘାତକ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

193

କନକ ବ୍ୟୁରୋ : ଡେଲଟା ପ୍ଲସ ଭାରିଆଂଟ୍ ପରେ ଏବେ କାପ୍ପା ଭାରିଆଂଟକୁ ନେଇ ଚିନ୍ତା । ଉତ୍ତରପ୍ରଦେଶରେ ଜିନୋମ୍ ସିକ୍ୱେନ୍ସ ବେଳେ କରୋନା ଭୂତାଣୁର ଏକ ନୂଆ ପ୍ରକାର ପ୍ରଜାତି କାପ୍ପା ଭାରିଆଂଟ ଚିହ୍ନଟ ହୋଇଛି । ଉତ୍ତରପ୍ରଦେଶରେ ୨ ଜଣ କରୋନା ରୋଗୀଙ୍କ ଠାରେ କାପ୍ପା ଭାରିଆଂଟ୍ ଚିହ୍ନଟ ହୋଇଛି । ଜିନୋମ ସିକ୍ୱେନ୍ସ ଦ୍ୱାରା ୨ ଟି ନମୁନାରେ କାପ୍ପା ଭାରିଆଂଟ୍ ଚିହ୍ନଟ କରାଯାଇଛି ।

ୟୁପିର କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟରେ ୧୦୯ଟି ନମୁନାର ଜିନୋମ ସିକ୍ୱେନ୍ସ କରାଯାଇଥିଲା । ଯେଉଁଥିରୁ ୧୦୭ଟି ନମୁନାରେ ଡେଲଟା ଭାରିଆଂଟ ଚିହ୍ନଟ ହୋଇଥିବାବେଳେ ୨ଟି ନମୁନାରେ କାପ୍ପା ଭାରିଆଂଟ ଚିହ୍ନଟ ହୋଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କାପ୍ପା ଭାରିଆଂଟରେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଂଚ କରାଯାଉଛି । ରାଜ୍ୟରେ ଆହୁରି କାପ୍ପା ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ, ସେନେଇ ଅଧିକରୁ ଅଧିକ ନମୁନାର ଜିନୋମ ସିକ୍ୱେନ୍ସ କରାଯାଉଛି । କେବଳ କାପ୍ପା ନୁହେଁ ରାଜ୍ୟରେ ଡେଲଟା ପ୍ଲସ ଭାରିଆଂଟର ନମୁନା ମଧ୍ୟ ଚିହ୍ନଟ ହୋଇଥିଲା ।

ତେବେ କରୋନା ଭୂତାଣୁର ଏହି ଭିନ୍ନ ଭିନ୍ନ ପ୍ରକାର ଦେଶରେ ତୃତୀୟ ଲହର ଆଣିବ କି ସେନେଇ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି । କରୋନା ଭୂତାଣୁର ଏହି ଭିନ୍ନ ଭିନ୍ନ ଭୂତାଣୁକୁ ନେଇ ଏବେ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇ ପଡିଛି । ତେବେ କାପ୍ପା ଭାରିଆଂଟରୁ କୌଣସି ଭୟ ନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।

କ’ଣ ଏହି କାପ୍ପା ଭାଇରସ୍ ?
– କାପ୍ପା ହେଉଛି କରୋନାର ଏକ ନୂଆ ମ୍ୟୁଟେସନ
– କେ.ବି.୧.୬୧୭ ପ୍ରଜାତିର ହେଉଛି କାପ୍ପା ଭୂତାଣୁ
– ଡେଲଟା, ଡେଲଟା ପ୍ଲସ ପରେ କାପ୍ପା ଭାଇରସ୍ ଚିହ୍ନଟ
– କାପ୍ପାକୁ ୟୁକେ ଭାରିଆଂଟ କୁହାଯାଉଛି
– କାପ୍ପା ଭୂତାଣୁକୁ ଘାତକ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
– ୟୁପିରେ କାପ୍ପା ଭାରିଆଂଟ୍ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ
– ଫଳରେ କାପ୍ପା ଭାରିଆଂଟକୁ ନେଇ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ