ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା : ବିଭାଗୀୟ ଇଂଜିନିୟରଙ୍କୁ ସାର ନ ଡ଼ାକି ବସ ଡ଼ାକିବା ପାଇଁ ଦେଲେ ପରାମର୍ଶ

1,504

କନକ ବ୍ୟୁରୋ : ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଦେଶକୁ ମିଳିଛି ନୂଆ ରେଳମନ୍ତ୍ରୀ । ଆଉ ମନ୍ତ୍ରାଳୟର ଦାୟିତ୍ୱ ନେବା ପରଠାରୁ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ଅଛନ୍ତି ଅଶ୍ୱିନୀ ବୈଷ୍ଣବ । ଦାୟିତ୍ୱ ନେବା ପରେ, ଅଫିସରେ କାମ କରିବାର ସମୟ ପରିବର୍ତ୍ତନ କରିଦେଲେ ରେଳମନ୍ତ୍ରୀ । ଆଉ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ରେଳ ବିଭାଗର ଜଣେ ଇଂଜିନିୟରଙ୍କୁ ‘ବସ’ ଡାକିବା ପାଇଁ କହୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭିଡିଓରେ ବେସ ହାଲୁକା ଢଙ୍ଗରେ ନଜର ଆସୁଛନ୍ତି ମନ୍ତ୍ରୀ ।

ତେଣୁ ଆପଣଙ୍କ ମନରେ ପ୍ରଶ୍ନ ଆସିବ, ହଠାତ ଜଣେ ବିଭାଗୀୟ କର୍ମଚାରୀଙ୍କୁ କାହିଁକି ବସ କହିବା ପାଇଁ କହିଲେ ମନ୍ତ୍ରୀ ? କଥାହେଲା ଶୁକ୍ରବାର ରେଳବାଇ ସିଗ୍ନାଲ ବିଭାଗର ଜଣେ ଇଂଜିନିୟରଙ୍କ ସହ ମନ୍ତ୍ରୀଙ୍କ ପରିଚୟ କରାଇ ଦେଇଥିଲେ ବିଭାଗୀୟ ଉଚ୍ଚ ଅଧିକାରୀ । ପରିଚୟ ଦେଲାବେଳେ କହିଥିଲେ ଯେ, ଇଂଜିନିୟର ଜଣକ ସେହି କଲେଜରେ ପାଠ ପଢୁଥିଲେ ଯେଉଁଠାରେ ପଢିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାପରେ ତାଙ୍କୁ କୁଣ୍ଢାଇ ପକାଇଥିଲେ ମନ୍ତ୍ରୀ ।

ସେହିପରି ତାଙ୍କୁ ‘ସାର ନ ଡାକି ବସ’ ବୋଲି ସମ୍ବୋଧନ କରିବାକୁ କହିଥିଲେ । କାରଣ ସେ ଯେଉଁ କଲେଜରେ ପାଠ ପଢୁଥିଲେ ସେଠାରେ ଜୁନିଅରମାନେ ସିନିୟରଙ୍କୁ ବସ ବୋଲି ସମ୍ବୋଧନ କରୁଥିଲେ । ଅର୍ଥାତ ଅତି ହାଲୁକା ଭାବେ ଏହି କଥା କହି ପରିବେଶକୁ ବେଶ ସ୍ୱାଭାବିକ କରିଦେଇଥିଲେ ମନ୍ତ୍ରୀ । ନୂଆ ରେଳମନ୍ତ୍ରୀଙ୍କ ଏହି ସ୍ୱଭାବକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।