ଶୁଭେନ୍ଦୁ ଗଡରୁ ଲଢିବେ ମମତା । ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ ଲଢିବା ନେଇ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

353

କନକ ବ୍ୟୁରୋ: ନନ୍ଦିଗ୍ରାମରୁ ଲଢିବେ ମମତା ବାନାର୍ଜୀ । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଲଢିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ୩ରୁ ୪ ମାସ ବାକି ଥିବା ବେଳେ ମମତାଗଡରେ ଆରମ୍ଭ ହୋଇଗଲାଣି ମହାପ୍ରସ୍ତୁତି । କୁରୁକ୍ଷେତ୍ରରେ କଡା ଟକ୍କର ଦେବାକୁ ବିଭିନ୍ନ ଦଳର ରଣନୀତି ପ୍ରସ୍ତୁତ ହେଉଥିବା ବେଳେ ବିଜେପି ଓ ଟିଏମସି ପକ୍ଷରୁ ଆରମ୍ଭ ହୋଇଛି ମାରାଥନ ଜନସଭା । ବିଭିନ୍ନ ସ୍ଥାନରେ ରାଜନୈତିକ ସଭା କରି ଲୋକଙ୍କୁ ନିଜ କଥା କହୁଥିବା ବେଳେ ଆଜି ନନ୍ଦିଗ୍ରାମରେ ଏକ ବିଶାଳ ସଭା କରି ଉକ୍ତ ଆସନରୁ ସେ ଛିଡା ହେଉଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ।

ତେବେ ସବୁଠାରୁ ବଡକଥା ହେଉଛି ସଜସଜ ଟିଏମସିକୁ ଟାଟା କରି ବିଜେପିରେ ମିଶିଥିବା ଟିଏମସିର ପୁରୁଖା ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମମତା । ୨୦୧୬ରେ ଟିଏମସି ପ୍ରାର୍ଥୀ ଭାବେ ଜିତିଥିଲେ ଶୁଭେନ୍ଦୁ । ମାତ୍ର ଗତ ଡିସେମ୍ବର ୧୯ରେ ମମତାଙ୍କ ହାତ ଛାଡି ବିଜେପି ଯାଇଛନ୍ତି ଶୁଭେନ୍ଦୁ । ଆଉ ଖୋଦ ମମତା ଉକ୍ତ ଆସନରୁ ଏଥର ଲଢେଇ ଲଢିବେ ବୋଲି ଘୋଷଣା କରିଛନ୍ତି ।

ସେପଟେ ନନ୍ଦିଗ୍ରାମ ତାଙ୍କ ପ୍ରିୟ ଆସନ ବୋଲି କହିବା ପରେ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ମମତା । ତେବେ ଭବାନୀପୁର ମମତାଙ୍କ ବର୍ତ୍ତମାନର ନିର୍ବାଚନମଣ୍ଡଳୀ ଥିବା ବେଳେ ସେ ଉଭୟ ନନ୍ଦିଗ୍ରାମ ଓ ଭବାନୀପୁରରୁ ଲଢିପାରନ୍ତି ବୋଲି ସୂଚନା ଦେଇଛନ୍ତି ।