ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଯଦି ପସନ୍ଦ କରୁନାହାନ୍ତି ତେବେ ଏହାର ବ୍ୟବହାର କରନ୍ତୁ ନାହିଁ । ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏମିତି କହିଲେ ଦିଲ୍ଲୀ ହାଇକୋର୍ଟ ।

458

କନକ ବ୍ୟୁରୋ :  ଯଦି ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଆପଣ ପସନ୍ଦ କରୁନାହାନ୍ତି ତେବେ ଏହି ଆପକୁ ବ୍ୟବହାର କରନ୍ତୁ ନାହିଁ । ଏହା ପ୍ରାଇଭେଟ ଆପ୍, ଯଦି ଗୋପନୀୟତାକୁ ନେଇ କୌଣସି ଶଙ୍କା ରହିଛି ତେବେ ହ୍ୱାଟସଆପ ଛାଡି ଅନ୍ୟ ଆପ୍ ବ୍ୟବହାର କରିପାରିବେ । ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏଭଳି ମତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି  ଆସିବା ପରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟସଆପ । ତେବେ ଏ ନେଇ ଅନେକ ବିବାଦ ଦେଖାଦେବା ସହ କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।

ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ସଞ୍ଜୀବ ସଚଦେବା କହିଛନ୍ତି ଯେ,ଏହା ଏକ ପ୍ରାଇଭେଟ ଆପ୍ ।  ଯଦି ଏହାର ପ୍ରାଇଭେସି ପଲିସିକୁ ଆପଣ ପସନ୍ଦ କରୁନାହାନ୍ତି, ତେବେ ଅନ୍ୟ କିଛି ଆପ୍ ବ୍ୟବହାର କରନ୍ତୁ। ଯଦି ଆପଣ ଅଧିକାଂଶ ମୋବାଇଲ୍ ଆପର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ପଢ଼ିବେ, ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ଗୁଗୁଲ୍ ମ୍ୟାପ୍ ମଧ୍ୟ ଆପଣଙ୍କର ସମସ୍ତ ତଥ୍ୟ ଷ୍ଟୋର୍ କରି ରଖେ। ଏଭଳି ଅନେକ ଆପ ରହିଛି, ଯାହାର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ନପଢ଼ି ଆପଣ ଏହାକୁ ଗ୍ରହଣ କରନ୍ତି।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଆବେଦନକାରୀଙ୍କ ଅନୁଯାୟୀ କେଉଁ ତଥ୍ୟ ଲିକ୍ ହେବା ନେଇ ସେ ପିଆଇଏଲ ଦାଖଲ କରିଛନ୍ତି, ତାହା ବୁଝାପଡ଼ୁ ନାହିଁ ଏବଂ ଏହି ପ୍ରସଙ୍ଗ ଉପରେ ବିଶ୍ଳେଷଣ ଆବଶ୍ୟକ ଥିବାରୁ ଏହାର ଶୁଣାଣିକୁ ଜାନୁଆରୀ ୨୫କୁ ଘୁଞ୍ଚାଯାଉଛି। ଏହି ପ୍ରସଙ୍ଗର ବିଶ୍ଳେଷଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ମଧ୍ୟ କୋର୍ଟଙ୍କ ସହ ସହମତ ହୋଇଛନ୍ତି।

ଗତ କିଛିଦିନ ହେବ ହ୍ୱାଟସଆପ ନିଜର ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଆଣିଥିଲା । ଏହି ପ୍ରାଇଭେସି ପଲିସିକୁ ଅନୁମତି ଦେବାକୁ କମ୍ପାନି ପକ୍ଷରୁ ୟୁଜର୍ସଙ୍କୁ ନୋଟିଫିକେସନ ମଧ୍ୟ ପଠାଇବା ଆରମ୍ଭ କରିଥିଲା । ଫେବ୍ରୁଆରୀ ୮ ସୁଦ୍ଧା ପ୍ରାଇଭେସି ପଲିସିର ନୂଆ ସର୍ତ୍ତକୁ ମାନିବାକୁ କୁହାଯାଉଥିଲା । କିନ୍ତୁ ଏହି ନୂଆ ସର୍ତ୍ତକୁ ନେଇ ୟୁଜର୍ସ ବିରୋଧ କରିବା ସହ ହ୍ୱାଟସଆପରୁ ମୁହଁ ଫେରାଇନେବା ପରେ ଏହାକୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା କମ୍ପାନି ।