ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ବିଭିନ୍ନ ଜିଲ୍ଲାରେ ଚେକିଂ କଡାକଡି

154

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ । ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ ରହିବ । କଟକଣାକୁ ଜୋରଦାର କରିବା ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରୁଛି । ଆଜି ଓ ଆସନ୍ତାକାଲି ରାଜ୍ୟର ସବୁ ସହରାଂଚଳରେ ସଟଡାଉନ ନିୟମ ଲାଗୁ ରହିବ ।

ସୁନ୍ଦରଗଡ଼ ସଟ ଡାଉନ – 

ସୁନ୍ଦରଗଡରେ ମଧ୍ୟ କାୟା ବିସ୍ତାର କରୁଛି କରୋନା । ଆଜି ସୁନ୍ଦରଗଡରୁ ୭୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚେନ ଭାଙ୍ଗିବାକୁ ରାଜ୍ୟରେ ପ୍ରତି ସହରାଂଚଳରେ ସପ୍ତାହ ଶେଷ ଦିନରେ ସଟଡାଉନ ଘୋଷଣା କରାଯାଇଛି ।

କାମାକ୍ଷାନଗର ସଟଡାଉନ୍ – 

ସଟଡାଉନର ପ୍ରଭାବ ପଡିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ । କାମାକ୍ଷାନଗରରେ ଦୋକାନବଜାର ପୁରା ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ପୁରା ଠପ୍ ହୋଇଯାଇଛି । କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି । କାମାକ୍ଷାନଗର ପୋଲିସ ବିଭିନ୍ନ ଛକ ସ୍ଥାନ ଗୁଡିକରେ ଚେକିଂକୁ ଜୋରଦାର କରିଛି ।

ମାଲକାନଗିରି ସଟ ଡାଉନ – 

ଏହି ବନ୍ଦ ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଚାଷୀ । ଆଜି ନିଜ କଷ୍ଟ ଉପାର୍ଜିତ ପନିପରିବା ନେଇ ବଜାରକୁ ଆସିଥିଲେ ଚାଷୀ । ହେଲେ ବଜାର ବନ୍ଦ କଟକଣା ପାଇଁ ବଜାରରେ ପନିପରିବା ବିକ୍ରି କରିପାରିନଥିଲେ । ଆଉ ବସ୍ତା ବସ୍ତା ପନିପରିବା ଧରି ନିରାଶ ହୋଇ ଘରକୁ ଫେରିଛନ୍ତି ଚାଷୀ । ତୋଳା ଯାଇଥିବା ପନିପରିବା ରହିଲେ ଖରାପ ହୋଇଯିବ । ଆଉ ସଟଡାଉନ ପାଇଁ ବଜାରରେ ବିକ୍ରି କରି ହେବନି ପନିପରିବା । ତେବେ ତୋଳା ଯାଇଥିବା ପନିପରିବା କ’ଣ ହେବ ସେଇ ଚିନ୍ତାରେ ଚାଷୀ ।

ରାୟଗଡା ସଟଡାଉନ –

ରାୟଗଡା ମୁନିସିପାଲିଟି ସମେତ ଗୁଣୁପୁର ଓ ଗୁଡାରି ତିନୋଟି ସହରାଂଚଳକୁ ସରକାରୀ ସ୍ତରରେ ସଟଡାଉନ ଘୋଷଣା କରାଯାଇଥିବା ବେଳେ ମୁନିଗୁଡା,ଜେକେପୁର ଓ ବିସସମଟକ ସହରାଂଚଳ ହୋଇନଥିଲେ ମଧ୍ୟ ଏହି ତିନୋଟି ସହରକୁ ଜିଲ୍ଲାପାଳ ସପ୍ତାହନ୍ତ ସଟଡାଉନ ଓ ନାଇଟକର୍ଫ୍ୟୁ ଘୋଷଣା କରିଛନ୍ତି । ଏହି ସହରମାନଙ୍କୁ ବାହାର ଜିଲ୍ଲା ଓ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକଙ୍କ ଯାତାୟାତ ଥିବାରୁ ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଫଳରେ ମୁନିଗୁଡା ଏସଡିପିଓଙ୍କ ନେତୃତ୍ୱରେ ମୁନିଗୁଡ଼ାର ବିଭିନ୍ନ ଛକମାନଙ୍କରେ ଗାଡିମୋଟର ଚେକିଂ କଡାକଡି କରିଛି ପୋଲିସ ।

ନବରଙ୍ଗପୁର ସଟଡାଉନ – 

ନବରଙ୍ଗପୁରରେ ମଧ୍ୟ ସଟଡାଉନ ପାଇଁ ଖାଁ ଖାଁ ରହିଛି ରାସ୍ତାଘାଟ । କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର ପକ୍ଷରୁ ସପ୍ତାହ ଶେଷ ୨ ଦିନ ଅର୍ଥାତ ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରାଯାଇଛି । ରାୟଗଡ଼ାରେ ମଧ୍ୟ ସଟ ଡାଉନ ପାଇଁ ଦୋକାନ ବଜାର ବନ୍ଦ ରହିଛି । ରାସ୍ତାରେ କଡ଼ା ଚେକି କରୁଛି ପୋଲିସ । ଜରୁରୀ କାମ ନଥିଲେ କେହି ଘରୁ ବାହାରନ୍ତୁ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଯାଜପୁର ସଟଡାଉନ – 

ଏସପିଙ୍କ ସୂଚନା ଅନୁସାରେ, ଉଭୟ ସହରର ପ୍ରବେଶ ପଥରେ ନାକା କରାଯାଇଥିବା ବେଳେ ଗାଡିମଟର ଯାଞ୍ଚ କରାଯାଉଛି । ଜରୁରୀ ସେବାକୁ ଅନୁମତି ଥିବା ବେଳେ ସହରରେ ସବୁ ଦୋକାନବଜାର ବନ୍ଦ ରହିଛି । ସବୁ ବର୍ଗର ଲୋକ ଏହି ସଟଡାଉନକୁ ସମର୍ଥନ ଦେଇଥିବା ବେଳେ ଯାଜପୁରରେ ଏହାକୁ କଡାକଡି ପାଳନ କରାଯାଉଛି । ଏହାର ତଦାରଖ ପାଇଁ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଜଏଣ୍ଟ ଏନଫୋର୍ସମେଣ୍ଟ କାର୍ଯ୍ୟ କରୁଛି । ଯେଉଁ ଅମାନିଆ ନିୟମ ଉଲଘଂନ କରିବେ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଏସପି ରାହୁଲ ପି.ଆର ସୂଚନା ଦେଇଛନ୍ତି ।

କଟକ ସଟଡାଉନ –

କଟକର ୨୫ ସ୍ଥାନରେ ଲାଗିଛି ନାକା ଲାଗିଥିବା ସୂଚନା ଦେଇଛନ୍ତି କଟକ ଡିସିପି । ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସପ୍ତାହନ୍ତ ସଟଡାଉନକୁ କଟକରେ ଲୋକମାନେ ପାଳନ କରୁଛନ୍ତି । ବସ୍ତି ଅଂଚଳରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ଗଳି କନ୍ଦିରେ ପୋଲିସ ଫ୍ଲାଗ ମାର୍ଚ୍ଚ କରୁଛି ।