ସେନାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ଭାରତରେ ତିଆରି ହେବ ଯୁଦ୍ଧ ଉପକରଣ

31

କନକ ବ୍ୟୁରୋ : ଭାରତୀୟ ସେନା ଏବେ ବିଦେଶରୁ ଆମଦାନି ହେଉଥିବା ଯୁଦ୍ଧାସ୍ତ୍ର ଉପରେ ବିଶେଷ ନିର୍ଭର କରିବ ନାହିଁ । ସମସ୍ତ ଜରୁରୀ ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧ ଉପକରଣ ଭାରତରେ ହିଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଜରୁରୀ ଯୁଦ୍ଧ ଉପକରଣ ବିଦେଶରୁ ମଗାଇବାରେ ବହୁ ବିଳମ୍ବ ହେଉଛି ଏବଂ ସେନାର ଆଧୁନିକୀକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ।

ଏଥିପାଇଁ ସେନା ନିଷ୍ପତ୍ତି ନେଇଛି ଯେ ଶକ୍ତିଶାଳୀ ଟ୍ୟାଙ୍କ ଏବଂ ସୈନ୍ୟ ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ଉପକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ଭାରତରେ ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା ୩ ବର୍ଷ ମଧ୍ୟରେ ଏହି ପ୍ରକ୍ରିୟାରେ ସେନା ସ୍ୱାବଲମ୍ବୀ ହୋଇପାରିବ ଏବଂ ବିଦେଶୀ ଯୁଦ୍ଧ ଉପକରଣ ଆମଦାନି ପ୍ରକ୍ରିୟା ଆସନ୍ତା ବର୍ଷଠାରୁ ୫୦ ପ୍ରତିଶତ କମିଯିବ ।

ସୀମାବର୍ତ୍ତୀ ସେନା ପୋଷ୍ଟ୍‍ ଅଂଚଳକୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର ପଠାଇବା ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବ ଏବଂ ପ୍ରତ୍ୟେକ ଅଂଚଳକୁ ଏହାର ଆବଶ୍ୟକତା ଅନୁଯାୟୀ ଯୁଦ୍ଧାସ୍ତ୍ର ମହଜୁଦ ରଖିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅର୍ଡିନାନସ ଫ୍ୟାକଟ୍ରି ବୋର୍ଡ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି । ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଉପକରଣ ବିଦେଶରୁ କିଣାଯାଉଛି ଏବଂ ଏହା ଭାରତରେ ମଧ୍ୟ ନିର୍ମାଣ ହୋଇପାରିବ ବୋଲି ସେନା ଅଧିକାରୀ କହିଛନ୍ତି ।

ଭାରତରେ ଗୋଳା ବାରୁଦ ମହଜୁଦ ସ୍ଥିତି ଉଦବେଗଜନକ ରହିଥିବା ଏବଂ ଯୁଦ୍ଧ ଆରମ୍ଭ ହେଲେ ମାତ୍ର ୧୦ ଦିନ ଭିତରେ ଏହା ଶେଷ ହୋଇଯିବ ବୋଲି ସିଏଜି ରିପୋର୍ଟରେ ଦର୍ଶାଇବା ପରେ ଏବେ ସେନା ଏଭଳି ସ୍ଥିତିର ମୁକାବିଲା ପାଇଁ ତତ୍ପର ହୋଇଉଠିଛି । ସରକାରଙ୍କ ଦ୍ୱାରା ପରିଚାଳିତ ଅର୍ଡିନାନସ ଫ୍ୟାକ୍ଟ୍ରି ବୋର୍ଡ (ଓଏଫ୍‌ବି) ଏଭଳି ଦୟନୀତି ସ୍ଥିତି ପାଇଁ ଦାୟୀ ବୋଲି ସିଏଜି ସ୍ପଷ୍ଟ କରିଥିବାରୁ ଓଏଫବି ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଏହି ସଙ୍କଟ ଏଡ଼ାଇବାକୁ ତୟାର ହେଉଛି ।

୨୦୧୫ରେ ସେନାର ଗୁଳିଗୋଳା ମହଜୁଦ ସ୍ଥିତି ଉଦବେଗଜନକ ବୋଲି ଜଣାପଡ଼ିଥିଲେ ମଧ୍ୟ ଏ ବାବଦରେ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଓଏଫବିର ଉତ୍ପାଦନ କ୍ଷମତା ବଢ଼ାଇବାକୁ ଏବେ ବଡ଼ ଧରଣର ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି । ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚୀନ୍‌ ଏବଂ ପାକିସ୍ତାନ ତୁହାକୁ ତୁହା ଯୁଦ୍ଧ ଧମକ ଦେଉଥିବାରୁ ଭାରତ ତା’ର ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧ ଉପକରଣ ହାସଲ ଦିଗରେ ସ୍ୱାବଲମ୍ବୀ ହେବାକୁ ପ୍ରୟାସ ଆରମ୍ଭ କରିଛି ।