ପିସିସି ସଭାପତି ପରିବର୍ତ୍ତନ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରେ କଂଗ୍ରେସ ନେତା । ହାଇକମାଣ୍ଡଙ୍କ ଡାକରା ପାଇ ୯ ବିଧାୟକଙ୍କ ସହ ଗଲେ ଏକାଧିକ ତୁଙ୍ଗନେତା

110

କନକ ବ୍ୟୁରୋ : ପିସିସି ପରିବର୍ତ୍ତନ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରେ କଂଗ୍ରେସ ବିଧାୟକ ଓ ନେତା । ହାଇକମାଣ୍ଡଙ୍କ ଡାକରା ପାଇ ୯ ବିଧାୟକଙ୍କ ସହ ଏକାଧିକ ତୁଙ୍ଗ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସୁରେଶ ରାଉତରାୟ, ମହମ୍ମଦ ମୋକିମ୍, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଶରତ ପଟ୍ଟନାୟକ, ଜୟଦେବ ଜେନା, ଚିରଞ୍ଜୀବ ବିଶ୍ୱାଳ, ରାଜନ ନାୟକ, ଦାଶରଥି ଗମାଙ୍ଗ ପ୍ରମୁଖ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।

ଆସନ୍ତାକାଲି ଏମାନେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି, ବିଧାୟକ ଦଳ ନେତା ପରିବର୍ତ୍ତନ ସହ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ କିପରି ସୁଦୃଢ କରାଯିବ ନେଇ ଆଲୋଚନା ହୋଇପାରେ । ପିସିସି ସଭାପତି ଚୟନ ନେଇ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ମାନିବେ ବୋଲି କହିଛନ୍ତି ବରିଷ୍ଠ ନେତା ଶରତ ପଟ୍ଟନାୟକ । ଏହା ସହ ଦଳକୁ କିପରି ସୁଦୃଢ କରାଯିବ ସେନେଇ ହାଇକମାଣ୍ଡଙ୍କୁ ଜଣାଇବେ ବୋଲି କହିଛନ୍ତି ।

ସେହିପରି ଜୟଦେବ ଜେନା କହିଛନ୍ତି, ପିସିସି ସଭାପତି ଚୟନ ନୁହେଁ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦିଲ୍ଲୀ ଯାଉଛନ୍ତି । ଆଗାମୀ ନିର୍ବାଚନରେ ଦଳ କିପରି ମୁକାବିଲା କରିବ ସେନେଇ ଆଲୋଚନା କରାଯିବ । ଏବେ ଓଡ଼ିଶାରେ କଂଗ୍ରେସ ଦୁର୍ବଳ ସ୍ଥିତିରେ ରହିଛି । ସର୍ବ ପୂରାତନ ଦଳ କଂଗ୍ରେସକୁ କିପରି ରାଜ୍ୟରେ ମଜବୁତ କରାଯିବ ସେନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ଜୟଦେବ ଜେନା ।