ପରିସ୍ରାରେ ରକ୍ତ ପଡ଼ିବା କେତେ କ୍ଷତିକାରକ? କେଉଁ ରୋଗର ଲକ୍ଷଣ ଚିହ୍ନାଏ ଏବଂ ଖାମଖିଆଲ କଲେ ଏହା ଶରୀରକୁ କେତେ କ୍ଷତି ପହଁଞ୍ଚାଏ , ଜାଣିରଖନ୍ତୁ

410

ଯୌନାଙ୍ଗ ସମ୍ବନ୍ଧୀତ ସମସ୍ୟାକୁ ଲାଜ ଭାବି ଆମେ ଅନ୍ୟ ଆଗରେ ପ୍ରକାଶ କରିବାକୁ ବେଳେବେଳେ କୁଣ୍ଠାବୋଧ କରୁ । ଖାଲି ଏତିକି ନୁହେଁ ଡାକ୍ତରଙ୍କ ପରାମର୍ଶ ନେବାକୁ ଗଲା ବେଳେ ବି ଆଜି ଯିବି କାଲି ଯିବି କହି ସମୟ ଗଡ଼ାଉ । କିନ୍ତୁ ଏଭଳି କରିବା ଯେ ପରମୁହୂର୍ତ୍ତରେ ନିଜକୁ ଭାରି ପଡ଼ିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସମୟ ଥାଉ ଥାଉ ସମସ୍ୟାର ସମାଧାନ ନ ଖୋଜିଲେ ନେଡ଼ି ଗୋଡ଼ କହୁଣିକୁ ବୋହିଗଲା ଭଳି ସାର ହେବ । ବ୍ରିଟେନର ଜଣାଶୁଣା ଡାକ୍ତର ମିରିୟମ୍ ଷ୍ଟୋପାର୍ଡଙ୍କ ମୁତାବକ , କିଛି ଲୋକଙ୍କ ୟୁରିନରେ ରକ୍ତ ବାହାରିବା ଭଳି ସମସ୍ୟା ଦେଖାଯାଏ । ଯାହା ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇଥାଇପାରେ ତେଣୁ ପରିସ୍ରା କରିବା ସମୟରେ ଆମକୁ ଏ ବିଷୟରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଡାକ୍ତର ଷ୍ଟୋପାର୍ଡ ଏକ ଆର୍ଟିକଲରେ ଲେଖିଛନ୍ତି ଯେ , ଜଣେ ବାନ୍ଧବୀ ବ୍ୟତିବ୍ୟସ୍ତ ହୋଇ ତାଙ୍କୁ ଥରେ ଫୋନ୍ କରି ପରିସ୍ରାରେ ରକ୍ତ ଆସୁଥିବା କଥା କହିଥିଲେ । ଷ୍ଟୋପାର୍ଡ ତାଙ୍କୁ ପ୍ରଶ୍ନ କରିଥିଲେ ଯେ , କ’ଣ ସେ ଖାଦ୍ୟରେ ବିଟ୍ ଖାଇଥିଲେ? ବାନ୍ଧବୀଙ୍କ ଉତ୍ତର ଥିଲା ହଁ । ଏହାର ଉତ୍ତରରେ ସେ କହିଥିଲେ ଯେ ବେଳେବେଳେ ବିଟ୍ ଖାଇବା ପରେ ପରିସ୍ରାର ରଙ୍ଗ ଗୋଲାପୀ ହୋଇଯାଏ ଯାହା ରକ୍ତ ଭଳି ଦେଖାଯାଏ । ବିଟ୍ ର ରଙ୍ଗ ଲାଲ୍ ହେବା କାରଣରୁ ଏହା ପରିସ୍ରାରେ ସମାନ ମାତ୍ରାରେ ଖେଳେଇ ହୋଇଯାଏ । ଯେତେବେଳେ ପରିସ୍ରା , ପ୍ର୍ରୋଷ୍ଟେଟ୍ ବା କିଡନି କ୍ୟାନ୍ସରର ପରୀକ୍ଷା କରାଯାଏ । ଅସଲ ସମସ୍ୟା କ’ଣ ଜଣାପଡିଥାଏ । ବ୍ଲେଡର୍ କ୍ୟାନ୍ସରର ସାଧାରଣ ଲକ୍ଷଣ ହେଉଛି ପରିସ୍ରାରେ ରକ୍ତ ଆସିବା । ଯାହାକୁ ‘ହିମେଟ୍ୟୁରିଆ’ ମଧ୍ୟ କୁହାଯାଏ । ଡାକ୍ତରଙ୍କ କହିବାନୁସାରେ ,  ବ୍ଲେଡର୍ କ୍ୟାନ୍ସରରେ ପାଖାପାଖି ୮୦ % ରୋଗୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିିଳିଥାଏ ।

ଯେଉଁ ବ୍ୟକ୍ତିଙ୍କ ପରିସ୍ରାରେ ରକ୍ତ ଆସୁଛି ସେ ବ୍ଲେଡର୍ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ବୋଲି କିଛି ମାନେ ନାହିଁ । ଏହାର ଅନ୍ୟ କିଛି କାରଣ ମଧ୍ୟ ହୋଇଥାଇପାରେ । ବଢୁଥିବା ପ୍ର୍ରୋଷ୍ଟେଟ୍ , ପରିସ୍ରାମାର୍ଗରେ ସଂକ୍ରମଣ (ୟୁଟିଆଇ) କିମ୍ବା ଅଧିକ ବ୍ୟାୟାମ କାରଣରୁ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥାଏ । ୟୁଟିଆଇର ସଂକେତ ପରିସ୍ରା କରିବାରେ କଷ୍ଟ ,ପରିସ୍ରା ରଙ୍ଗ ପରିବର୍ତ୍ତନ ,ବାରମ୍ବାର ପରିସ୍ରା ଲାଗିବା ଏବଂ ରୋକି ନ ପାରିବା ଭଳି ସମସ୍ୟା ହୋଇଥାଇପାରେ । ବ୍ୟାୟାମ , ଦୌଡ଼ , ସନ୍ତରଣର ମାତ୍ରା ଅଧିକ ସମୟ ଧରି କରିଲେ ମଧ୍ୟ ପରିସ୍ରାରେ ରକ୍ତ ବାହାରିଥାଏ । ଏହା ଦିନେ , ୨ ଦିନ ଭିତରେ ଠିକ୍ ମଧ୍ୟ ହୋଇଯାଏ । କିଛି ଖାଦ୍ୟ କିମ୍ବା ଔଷଧ କାରଣରୁ ମଧ୍ୟ ପରିସ୍ରାର ରଙ୍ଗ ଲାଲ୍ ହୋଇଯାଏ । ବ୍ଲାକବେରୀ , ବିଟ୍ , ରେଡଫୁଡ୍ ଭଳି ଖାଦ୍ୟପଦାର୍ଥ ଖାଇଲେ ପରିସ୍ରାର ରଙ୍ଗ ଗୋଲାପୀ କିମ୍ବା ନାଲି ହୋଇଯାଏ ।