ବିହାରରେ ପଦଯାତ୍ରା କରି ଲୋକଙ୍କ ପାଖକୁ ଯିବେ ପ୍ରଶାନ୍ତ କିଶୋର । ନୂଆ ଦଳ ଗଢିବା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ପିକେ

107

କନକ ବ୍ୟୁରୋ: ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । କଂଗ୍ରେସର ହାତ ଛାଡିବା ପରେ ପ୍ରଶାନ୍ତ ନୂଆ ଦଳ ଗଢିବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଏହି ଚର୍ଚ୍ଚା ଉପରେ ପ୍ରଶାନ୍ତ ବିରାମ ଲଗାଇଛନ୍ତି । କୌଣସି ନୂଆ ଦଳ ଗଢିବେ ନାହିଁ ବୋଲି ପାଟନାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପ୍ରଶାନ୍ତ ।

  • ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ
  • ଦଳ ଗଢିବେନି ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଗୋଟେ ଟୁଇଟକୁ ନେଇ କିଛି ଦିନ ହେବ ଯେଉଁ ଚଚ୍ଚା ଜୋର ଧରିଥିଲା ତାହା ଶେଷ ହୋଇଛି । ବର୍ତ୍ତମାନ ରାଜନୈତିକ ଦଳ ଗଢିବା ନେଇ ତାଙ୍କ କୌଣସି ଯୋଜନା କି ବିଚାର ନଥିବା ସ୍ପଷ୍ଟ କରିଛନ୍ତି ପିକେ । ବିହାର ଗସ୍ତରେ ଥିବା ସମୟରେ ପଟଣାରେ ସାମ୍ବାଦିକ ସମ୍ମିଳନୀ କରି ପିକେ କହିଛନ୍ତି, ସେ କୌଣସି ରାଜନୈତିକ ଦଳ କିମ୍ବା ପ୍ଲାଟଫର୍ମ ଚାହାଁନ୍ତି ନାହିଁ । ସେ ବିହାରର ବିକାଶ ଚାହାଁନ୍ତି । ନୂଆ ଚିନ୍ତାଧାରା ଓ ନୀତି ସହ ବିହାର ବିକାଶର ଆବଶ୍ୟକତା ରହିଛି ।

ଏଥିସହ ବିହାରରେ ପିକେ ବିଶାଳ ପଦଯାତ୍ରା କରିବେ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଅକ୍ଟୋବର ୨ ତାରିଖରୁ ବିହାର ପଶ୍ଚିମ ଚମ୍ପାରଣରୁ ପ୍ରାୟ ୩ ହଜାର କିଲୋମିଟର ପଦଯାତ୍ରା କରିବେ ପିକେ । ସେହିପରି ସାମ୍ବାଦିକ ସମ୍ମିଳନୀରେ ବିହାରର ଦୁଇ ବରିଷ୍ଠ ନେତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ୩୦ ବର୍ଷର ଶାସନ, ବିହାରକୁ ଦେଶର ସବୁଠୁ ପଛୁଆ ରାଜ୍ୟରେ ପରିଣତ କରିଛି ବୋଲି ପିକେ କହିଛନ୍ତି ।

ବିଜେପି,କଂଗ୍ରେସ,ଜେଡିୟୁ, ଟିଏମସି ଭଳି ବଡ ବଡ ଦଳଙ୍କ ପାଇଁ ପ୍ରଶାନ୍ତ କିଶୋର ରଣନୀତିକାର ରହିସାରିଛନ୍ତି । ନିକଟରେ କଂଗ୍ରେସର ବଡ ପ୍ରସ୍ତାବକୁ ଏଡାଇ କିଛି ନୂଆ କରିବା ଆଶାରେ ବିହାର ରାଜନୀତି ଆଡକୁ ମୁହାଁଇଛନ୍ତି । ରାଜନୀତି ରଣନୀତିକାର ଭାବେ ଗଭୀର ଅଭିଜ୍ଞତା ରଖୁଥିବା ପ୍ରଶାନ୍ତ ଜାତୀୟ ଓ ଆଞ୍ଚଳିକ ରାଜନୀତିରେ ଏକ ବଡ ପରିବର୍ତ୍ତନ ପାଇଁ ଯେଉଁ ଯୋଜନା କରୁଛନ୍ତି । ତେବେ ସେଥିରେ ପିକେ କେତେଦୂର ସଫଳ ହେବେ ସେକଥା ଆଗାମୀ ଦିନରେ ଜଣାପଡିବ