ବ୍ରଜରାଜନଗର ଉପ-ନିର୍ବାଚନ : ରାଧାରାଣୀ ନା ନୂଆ ଚେହେରା, କାହାକୁ ପ୍ରାର୍ଥୀ କରିବ ବିଜେପି?

176

କନକ ବ୍ୟୁରୋ : ବ୍ରଜରାଜନଗର ବିଜେପି ଟିକେଟ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କନକ ନ୍ୟୁଜରେ କହିଥିଲେ, ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ତାଙ୍କୁ ପ୍ରସ୍ତୁତ ରହିବାକୁ ଦଳ ପକ୍ଷରୁ କୁହାଯାଇଥିଲା । ଏହାପରେ ପୁଣି ଶୁଣାଗଲା ଯେ, ଆଉ ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ଉଦ୍ୟମ ଚାଲିଛି । ଏହି ସମୟରେ ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, ରାଧାରାଣୀ ଗତ ନିର୍ବାଚନରେ ପରାଜିତ ହୋଇଥିଲେ । କେବଳ ସେ ରେସରେ ନାହାଁନ୍ତି, ଅନ୍ୟମାନେ ମଧ୍ୟ ରେସରେ ଅଛନ୍ତି ବୋଲି ସୁରେଶ କହିଛନ୍ତି ।

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଶାସକ ବିଜେଡି ତାର ରଣନୀତି ଚୂଡାନ୍ତ କରିସାରିଥିବା ବେଳେ, ଏବେ ମାନସ ମନ୍ଥନ ଆରମ୍ଭ କରିଦେଇଛି ମୁଖ୍ୟ ବିରୋଧୀଦଳ ବିଜେପି । ପୂର୍ବତନ ବିଧାୟିକା ରାଧାରାଣୀ ନା ନୂଆ ମୁହଁକୁ ନେଇ ଲଢେଇକୁ ଓହ୍ଲାଇବ ଦଳ, ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।

ଗତ ଲୋକସଭା ନିର୍ବାଚନରେ ବିଜେପିକୁ ଅଧିକ ଭୋଟ ମିଳିଥିବା ସତ୍ୱେ ବ୍ରଜରାଜନଗର ବିଧାନସଭା ଆସନରୁ ହାରିଥିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ଏହି ବିବୃତି ବୟାନ କରୁଛି ଯେ, ରାଧାରାଣୀଙ୍କ ପ୍ରାର୍ଥୀତ୍ୱକୁ ନେଇ ସନ୍ଦିହାନ ଅଛନ୍ତି ବିଜେପିର ଏହି ବରିଷ୍ଠ ନେତା । ସୁରେଶ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟକ୍ତି ନୁହେଁ ବରଂ ଦଳ ପାଇଁ ତାଙ୍କର ଅଧିକ ଦୁର୍ବଳତା ଅଛି । ସହମତିରେ ଉପ- ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ହେବ ।

ବିଜେପିର ଯୁବ ସଦସ୍ୟ ସୁଜିତ ସିଂହଙ୍କୁ ଟିକେଟ ଦେବା ସପକ୍ଷରେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଲବି କରୁଥିବା ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ପଦାଧିକାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । କୁହାଯାଉଛି ବ୍ରଜରାଜନଗର ବିଧାନସଭା ମଣ୍ଡଳୀ, ବରଗଡ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବାରୁ  ଟିକେଟ ଚୟନରେ ସାଂସଦ ସୁରେଶ ପୂଜାରୀଙ୍କ ବଡ ଭୂମିକା ରହିବ ।