କୋହଲିଙ୍କ ଉପରେ ମହାକାଳଙ୍କ କୃପା! ୪୦ ମାସ ପରେ କୋହଲି ମାରିଲେ ‘ବିରାଟ’ ଶତକ

415

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷର ଲମ୍ବା ବ୍ୟବଧାନ ପରେ ବିରାଟଙ୍କ ବ୍ୟାଟରୁ ସେଞ୍ଜୁରୀ ଦେଖିବାକୁ ମିଳିଛି । ଟେଷ୍ଟରେ ବିରାଟ ବାରମ୍ବାର ବିଫଳ ହୋଇ ଫ୍ୟାନଙ୍କୁ ନିରାଶ କରି ଆସୁଥିଲେ । ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ନିଜ କମାଲ ଦେଖାଇଛନ୍ତି କୋହଲି । ସଫଳ ଶତକ ସହ କୋହଲି ଏହି ଟେଷ୍ଟରେ ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । କୁହାଯାଉଛି ବିରାଟଙ୍କ ଏହି ସଫଳତା ପଛରେ ରହିଛି ବାବା ମହାକାଳଙ୍କ ହାତ । କାରଣ ଟେଷ୍ଟ ମ୍ୟାଚ ପୂର୍ବରୁ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ଉଜୈନସ୍ଥିତ ମହାକାଳ ମନ୍ଦିରରେ ଭସ୍ମା ଆଳତି ଦର୍ଶନ କରିଥିଲେ । ଆଉ ଏହାପରେ ଶେଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ।

ଏହି ମ୍ୟାଚ ପୂର୍ବରୁ ହିଁ ବିରାଟଙ୍କୁ ମହାକାଳ ମନ୍ଦିରରେ ଦେଖିବାକୁ ମିଳିଥିଲା । ପ୍ରାୟ ଦେଢ ଘଣ୍ଟା ଧରି ଅନୁଷ୍କା ଓ ବିରାଟ ଭସ୍ମ ଆଳତୀରେ ସାମିଲ ହୋଇଥିଲେ । ଆଳତୀ ଶେଷ ହେବା ପରେ ସେମାନେ ଗର୍ଭଗୃହକୁ ଯାଇ ପଞ୍ଚାମୃତ ପୂଜନ କରିବା ସହ ଅଭିଷେକ କରିଥିଲେ । ଏହି ସମୟରେ ବିରାଟ ଧୋତି ପିନ୍ଧିବା ସହ ବେକରେ ରୁଦ୍ରାକ୍ଷ ପକାଇଥିଲେ । ତେବେ ଏଥିପାଇଁ ବିରାଟ ଏହି ବଡ ଇଂନିସ ଖେଳିଥିବା ଚର୍ଚ୍ଚା ହେଉଛି ।

ଏହା ପୂର୍ବରୁ ବିରାଟ ଓ ଅନୁଷ୍କାଙ୍କୁ ଧାର୍ମିକ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳିଥିଲା । ଋଷିକେଶର ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଆଶ୍ରମକୁ ଯାଇ ସେଠାରେ ସମାଧି ସ୍ଥଳ ବୁଲିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ସ୍ୱାମୀ ସାକ୍ଷାତକୃତା ନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଏହାପୂର୍ବରୁ ଶ୍ରୀଲଙ୍କା ସିରିଜ ବେଳେ ବୃନ୍ଦାବନ ଯାତ୍ରା କରିଥିଲେ କୋହଲି । ବୃନ୍ଦାବନରେ ଶ୍ରୀ ପରମାନନ୍ଦଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ବିରାଟ । ବୃନ୍ଦାବନରୁ ଫେରି ସେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ । ଦ୍ୱିଶତକ ହାସଲ କରିବା ସହ ପୁରୁଣା ଫର୍ମକୁ ଫେରିଥିଲେ ରନ ମେସିନ । ତେବେ ଗତ ୩ ବର୍ଷ ହେବ ବିରାଟ ଯେଉଁ ସଂଘର୍ଷ ଦେଇ ଗତି କରି ଆସୁଥିଲେ ସେଥିରେ ଏବେ ତାଙ୍କୁ ସଫଳତା ମିଳି ସାରିଛି । ୩ ଫର୍ମାଟରେ ବିରାଟ ପୁଣି ଫର୍ମକୁ ଫେରିଥିବା ନଜର ଆସିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟଙ୍କ ଏହା ଅଷ୍ଟମ ଶତକ । ସେହିପରି ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଶତକ ହାସଲ କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏଥିରେ ସଚିନ ୧୦୦ ଶତକ ସହ ପ୍ରଥମରେ ରହିଥିବା ବେଳେ ରିକି ପଣ୍ଟିଂ ୭୧ ଶତକ ସହ ତୃତୀୟରେ ରହିଛନ୍ତି । ଏହାସହ କୌଣସି ବିପକ୍ଷ ଦଳ ବିରୋଧରେ ସର୍ବାଧିକ ଶତକ ହାସଲ କରିବାରେ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି । କୋହଲି ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିରୋଧରେ ୧୬ ଲେଖାଏଁ ଶତକ ମାରିଛନ୍ତି ।

ବିରାଟ ନିଜ ଶେଷ ଟେଷ୍ଟ ଶତକ ନଭେମ୍ବର ୨୦୧୯ କରିଥିଲେ । ଏହାପରଠୁ ସେ ଗୋଟିଏ ବି ଟେଷ୍ଟରେ ଶତକ ମାରିନଥିଲେ । ସେବେଠୁ ଫ୍ୟାନମାନେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ଚାହିଁ ରହିଥିଲେ । ତେବେ ଦୀର୍ଘ ୩ ବର୍ଷ ପରେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବା ପରେ ଫ୍ୟାନମାନେ ଉତ୍ସାହିତ ଅଛନ୍ତି ।