ପରିବା ବଜାରରେ ନିଆଁ । ବ୍ୟାଗ୍ ଭର୍ତ୍ତି ହେଉନି କିନ୍ତୁ ପକେଟ ଫାଙ୍କା ହୋଇଯାଉଛି । ଶହେ ଡେଇଁଲାଣି ଫୁଲକୋବି, ବାଇଗଣ ୭୦ । ଲୋକ ହବିଷ କରିବେ କଣ?

733

କନକ ବ୍ୟୁରୋ : କାର୍ତ୍ତିକରେ ଚାଲିଛି ହବିଷ ମାସ । ହେଲେ ଆମିଷ ହେଉ କି ନିରାମିଷ, ମାଛମାଂସ, ପନିପରିବା ସବୁ ଦର ଆକାଶ ଛୁଆଁ । ବର୍ତମାନ ବଜାରକୁ ଗଲେ ପରିବା ଦର ଶୁଣିଲେ ଗ୍ରାହକଙ୍କୁ ଡର ଲାଗୁଛି । କୌଣସି ପରିବା ଦର ୭୦ ଟଙ୍କାରୁ କମ ନୁହେଁ । ବ୍ରହ୍ମପୁର ବଜାରରେ ଶାଗ ବିଡାକୁ ୩୦ ଟଙ୍କାରେ କିଣିବାକୁ ପଡୁଥିବା ବେଳେ ଖାଇବେ କଣ ସେନେଇ ଚିନ୍ତା ବଢିଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସାରା ରାଜ୍ୟର ପରିବା ବାଜରରେ ଲାଗିଛି ନିଆଁ । ତୁହାକୁ ତୁହା ବର୍ଷା ଯୋଗୁଁ ପନିପରିବା ଚାଷ ନଷ୍ଟ ହେବା ପରେ ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡିଛି । ଏବେ କାର୍ତିକ ମାସରେ ହବିଷ ଚାଲିଥିବା ବେଳେ ପନିପରିବା ହେଉ ବା ମାଛମାଂସ ସବୁର ଆକାଶ ଛୁଆଁ ଦର ଲୋକଙ୍କୁ ନାକେଦମ୍ କରିଛି । ବ୍ରହ୍ମପୁର ସହରରେ ପରିବା ଦର କଥା ନ କହିଲେ ଭଲ ।

ବ୍ରହ୍ମପୁରରେ ପରିବା କିଣିବାକୁ ଗଲେ ପକେଟ ଫାଙ୍କା ହେଇଯାଉଛି । ଆଳୁ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାକି ସବୁ ପରିବା ଦର ପ୍ରାୟ ୭୦ -୮୦ ଟଙ୍କା ରହିଛି । ଫୁଲକୋବି ୮୦ ରୁ ୧୦୦, ବାଇଗଣ ୫୦ ରୁ ୭୦, ବିନ୍ସ ୭୦ରୁ ୮୦, ପୋଟଳ ୭୦ରୁ ୮୦, ଟମାଟୋ ୬୦, ମୂଳା ବିଡା ୩୦, ଶାଗ ବିଡା ୩୦ ଟଙ୍କାରେ କିଣୁଛନ୍ତି ଗ୍ରାହକ । ୫ଶହ ଟଙ୍କା ନେଇ ବଜାର ଗଲେ ବ୍ୟାଗ୍ ପୁରୁନଥିବାରୁ ଚିନ୍ତାରେ ପଡିଛନ୍ତି ଗ୍ରାହକ ।

ପରିବାର ଦର ବୃଦ୍ଧିର ବିଭିନ୍ନ କାରଣ ରହିଛି ବୋଲି ବ୍ୟବସାୟୀ କହିଛନ୍ତି । ଗୋଟିଏ ପଟେ ହବିଷ ମାସ ଚାଲିଛି , ଅନ୍ୟପଟେ ଗଞ୍ଜାମ ଜିଲ୍ଳରେ ପନିପରିବା ଅମଳ ହେଉ ନାହିଁ । ଏପରିକି ବାଙ୍ଗାଲୁରୁ ଓ କୋଲକାତାରୁ ପରିବା ଆସିବା କମିଯାଇଛି । ଯେଉଁଥିପାଇଁ ପରିବା ଦର ଅଧିକ ରହୁଛି ।