ସ୍କୁଲ ଆମକୁ ଶିଖାଇଥିଲା, ଆମେ ସ୍କୁଲ ପିଲାଙ୍କୁ ଶିଖାଇବୁ… ୧୦ ବର୍ଷ ହେବ ସ୍ୱେଚ୍ଛାକୃତ ଶିକ୍ଷାଦାନ କରିଆସୁଛନ୍ତି ପୁରାତନ ଛାତ୍ରଛାତ୍ରୀ । ଚର୍ଚ୍ଚାରେ ଗଞ୍ଜାମର ଖଣ୍ଡଦେଉଳି ହାଇସ୍କୁଲ

523

କନକ ବ୍ୟୁରୋ: ସ୍କୁଲରେ ଚାଲିଛି ସ୍ୱେଚ୍ଛାକୃତ ଶିକ୍ଷାଦାନ । ନିଜେ ଶିଖିଥିବା ପାଠକୁ ପିଲାଙ୍କୁ ଜଣାଇବା ଆଉ ନିଜ ଅଭିଜ୍ଞତାକୁ ନିଜ ସ୍କୁଲର ସାନସାନ ଭାଇ ଭଉଣୀଙ୍କୁ ଜଣାଇବାକୁ ସ୍ୱେଚ୍ଛାକୃତ ଭାବେ ସ୍କୁଲରେ ହାଜର ହୋଇ ପିଲାଙ୍କୁ ପଢାଉଛନ୍ତି ପୂରାତନ ଛାତ୍ରଛାତ୍ରୀ । ତେବେ ଏହି ସ୍ୱେଚ୍ଛାକୃତ ଶିକ୍ଷା ପାଇଁ ଏବେ ସବୁଠି ଚର୍ଚ୍ଚାରେ ଗଂଜାମ ଜିଲ୍ଲାର ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ।

ଶିକ୍ଷକ, ଶୀକ୍ଷୟତ୍ରୀଙ୍କ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏବଂ ଗାଁଲୋକଙ୍କ ସହୟତାର ସମନ୍ୱୟରେ ଏହି ବିଦ୍ୟାଳୟ ଆଜି ହୋଇପାରିଛି ଏକ ଆଦର୍ଶ ବିଦ୍ୟାଳୟ । ବିଶେଷ କରି ଏହି ଅନୁଷ୍ଠାନରେ ପୂରାତନ ଛାତ୍ରଛାତ୍ରୀ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବାରୁ ଏବେ ଏହି ସ୍କୁଲ ସମଗ୍ର ଜିଲ୍ଲାରେ ଭିନ୍ନ ହୋଇପାରିଛି ।

ସ୍ୱଚ୍ଛ ଓ ସମୃଦ୍ଧ ପରିବେଶ, ନିର୍ମଳ ବାତାବରଣ ଭିତରେ ରହିଛି ଏହି ସ୍କୁଲ । ତେବେ ବିଦ୍ୟାଳୟ ପରିଚାଳନା କମିଟିର ଅନୁରୋଧ କ୍ରମେ ଏହି ପୁରାତନ ଛାତ୍ରଛାତ୍ରୀ ସ୍ୱଇଚ୍ଛାରେ ଆସି ସ୍କୁଲରେ ଶିକ୍ଷାଦାନ କରୁଛନ୍ତି । ଗତ ୧୦ ବର୍ଷ ଧରି ନିସ୍ୱାର୍ଥପର ଭାବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବନାଇଆସୁଛନ୍ତି । ଯାହାକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀଙ୍କ ସହ ସ୍କୃଲର ପ୍ରଧାନଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ।