ପୁଣି ଧିମା ପଡିଲା ରାଜ୍ୟରେ ଟିକାକରଣ : ଆଜି ମାତ୍ର ୩୦୮କେନ୍ଦ୍ରରେ ଦିଆଯିବ ଟିକା, ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

577

କନକ ବ୍ୟୁରୋ : ପୁଣି ଧିମେଇ ଯାଇଛି ରାଜ୍ୟରେ ଟିକାକରଣ । ଟିକା ଅଭାବରୁ ପୁଣିଥରେ ମାନ୍ଦା ପଡ଼ିଯାଇଛି ଟିକାକରଣ । ଆଜି ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ରାଜ୍ୟରେ ମାତ୍ର ୩୦୮ ଟିକାକେନ୍ଦ୍ରରେ ଟିକା ଦିଆଯିବ । ୫୯ ହଜାର ୯୨୦ କୋଭିସିଲ୍ଡ ଟିକା ଓ ୩ ଲକ୍ଷ ୯୩ ହଜାର ୧୦ କୋଭାକ୍ସିନ୍ ଟିକା ମହଜୁଦ ରହିଛି । ଗତକାଲି ଲକ୍ଷେ ତଳେ ରହିଥିଲା ଟିକାକରଣ । ୫୪୫ ଟିକାକେନ୍ଦ୍ରରେ ୯୩ ହଜାର ୩୩୪ ଟିକା ଦିଆଯାଇଛି ।

ଏଥିରେ ୧୮-୪୪ବର୍ଗର ୪୧,୬୩୬ ପ୍ରଥମ ଓ ୩୪୨୧ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି । ସେହିପରି ୪୫ ବର୍ଷରୁ ଅଧିକ ୧୧,୬୭୩ ପ୍ରଥମ ଓ ୩୫,୮୪୨ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୩୨ଲକ୍ଷ ୭୨ହଜାର ୬୩୮ ଡୋଜ୍‌ ଟିକା ଦିଆଗଲାଣି । ରାଜ୍ୟରେ ଏବେ ୫୯,୯୨୦ ଡୋଜ୍ କୋଭିସିଲ୍ଡ ଓ ୩,୯୩,୦୧୦ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି ।

ଅପରପକ୍ଷେ ଗତକାଲି ସକାଳେ ୧.୭୩ଲକ୍ଷ କୋଭାକ୍ସିନ୍‌ ଟିକା ରାଜ୍ୟରେ ଆସି ପହଞ୍ଚିଛି । ଏହାକୁ ଗଞ୍ଜାମ ଜିଲ୍ଲାକୁ ପଠାଯିବ। ଭୁବନେଶ୍ବର ବାଦ ରାଜ୍ୟରେ ଦ୍ବିତୀୟ ସ୍ଥାନ ଭାବେ ଗଞ୍ଜାମରେ କୋଭାକ୍ସିନ୍‌ ଟିକା ଦିଆଯାଉଛି । ଆସନ୍ତା ୧୫ ତାରିଖରେ ରାଜ୍ୟକୁ ଆହୁରି ୩ ଲକ୍ଷ ୧୫ହଜାର କୋଭିସିଲ୍ଡ ଟିକା ଆସିବ। ଚଳିତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଯେତିକି ଟିକା ଅନୁମୋଦନ ହୋଇଥିଲା, ତାହାଠାରୁ ଅତିରିକ୍ତ ଦୁଇଲକ୍ଷ ଟିକା ମିଳିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।