ଗର୍ଭବତୀଙ୍କୁ କେମିତି ଦିଆଯିବ କରୋନା ଟିକା : ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ; ୧୫ ତାରିଖ ସୁଦ୍ଧା ସରିବ ତାଲିମ

88

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ସପ୍ତାହରେ ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଜୁଲାଇ ୧୫ ପରେ ଗର୍ଭବତୀଙ୍କୁ ଟିକାକରଣ କରାଯିବ । ଏ ନେଇ ଗାଇଡଲାଇନ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କିପରି ଟିକା ଦିଆଯିବ, ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ହେଲେ, କିପରି ଏହାକୁ ପରିଚାଳନା କରାଯିବ, ସରକାରଙ୍କ ମାର୍ଗଦର୍ଶିକାରେ ସଂପୂର୍ଣ୍ଣ ଭାବେ ଜଣାଇ ଦିଆଯାଇଛି । ପ୍ରତି ବ୍ଳକରେ କେଉଁ ନିକଟସ୍ଥ ସିଏଚସି ଓ ପିଏଚସିରେ ଗର୍ଭବତୀଙ୍କୁ ଟିକା ଦିଆଯିବ, କେତେବେଳେ ଟିକାକରଣ ହେବ, ଏହାକୁ ସ୍ଥିର କରିବେ ମେଡିକାଲ ଅଫିସର ।

ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ଗର୍ଭବତୀଙ୍କ ଟିକାକରଣ ନେଇ ତାଲିମ କାର୍ଯ୍ୟ ଶେଷ କରାଯିବ । ଗର୍ଭବତୀମାନଙ୍କ ତାଲିକା ପ୍ରସ୍ତୁତ କରାଯିବ । ଗର୍ଭବତୀଙ୍କୁ କାଉନସେଲିଂ କରି ନିର୍ଦ୍ଧାରିତ ସମୟ ଏବଂ ନିର୍ଦ୍ଧାରିତ ଟିକାକେନ୍ଦ୍ରକୁ ନେବା ଦାୟିତ୍ୱ ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀମାନଙ୍କୁ ଦିଆଯାଇଛି । ଟିକା କେନ୍ଦ୍ରରେ ଗର୍ଭବତୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଗର୍ଭବତୀଙ୍କୁ ଧାଡ଼ିରେ ଛିଡ଼ା କରାଯିବ ନାହିଁ । ଅପେକ୍ଷା କରିବା ପାଇଁ ଏବଂ ପର୍ଯ୍ୟବେକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ।

ଟିକା ନେବା ପରେ ୩୦ ମିନିଟ ପାଇଁ ଗର୍ଭବତୀଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯିବ । ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଲେ ତୁରନ୍ତ ଜିଲ୍ଲା କମିଟିକୁ ଅବଗତ କରାଯିବ । ଜିଲ୍ଲା ଏଇଏଫ୍ଆଇ କମିଟିରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଓ ଶିଶୁ ବିଶେଷଜ୍ଞ ସଦସ୍ୟ ରହିବେ । ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ । ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନେ ଗର୍ଭବତୀଙ୍କୁ ଟିକା ଦେବେ ।