ସାବଧାନ… ହୋଇପାରେ ଆତଙ୍କବାଦୀ ଆକ୍ରମଣ । ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଜୱାହିରିର ମୃତ୍ୟୁ ପରେ ସତର୍କ କଲା ଆମେରିକା ।

151

କନକ ବ୍ୟୁରୋ : ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦାର ମୁଖ୍ୟ ଅଲଜ ଜୱାହିରି ଆମେରିକାର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛି । ଜୱାହିରିର ମୃତ୍ୟୁ ପରେ ଆମେରିକା ଅଧିକ ସତର୍କ ହୋଇ ପଡିଛି । ଆଉ ଏସବୁ ଭିତରେ ଆମେରିକାର ବିଦେଶ ମନ୍ତ୍ରାଳୟ ଏକ ସତର୍କ ସୂଚନା ଜାରି କରିଛି ।

ଆମେରିକା ପକ୍ଷରୁ କୁହାଯାଇଛି ଯେ, ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅଲ ଜୱାହିରି କାବୁଲର ଏକ ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛି । ଆମେରିକା ସେନା ପକ୍ଷରୁ ଜୱାହିରିକୁ ନିପାତ କରାଯାଇଛି । ୧୧ ସେପ୍ଟେମ୍ବର ୨୦୦୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଜୱାହିରି । ସବୁବେଳେ ନିଜ ସମର୍ଥକ ମାନଙ୍କୁ ଆମେରିକା ବିରୋଧରେ ଉସକାଉଥିଲା । ଆମେରିକା ଉପରେ ଆକ୍ରମଣ କରିବାକୁ ପ୍ରବର୍ତ୍ତାଉଥିଲା । ତେଣୁ ଜୱାହିରିର ମୃତ୍ୟୁ ପରେ ଅଲ-କାଏଦାର ସମର୍ଥକ କିମ୍ବା ଏହାସହ ଜଡିତ ଆତଙ୍କବାଦୀ ସଙ୍ଗଠନ ଆମେରିକା ସେବା, ଲୋକଙ୍କୁ ଟାର୍ଗେଟ କରିପାରନ୍ତି । ଏଭଳି ଆତଙ୍କବାଦୀ ଆକ୍ରମଣ ହଠାତ୍ ହିଁ ହୋଇଥାଏ । ତେଣୁ ଆମେରିକାର ନାଗରିକ ମାନେ ଅଧିକ ସତର୍କ ରହିବା ସହ ବିଦେଶ ଭ୍ରମଣ ବେଳେ ପାରିପାଶ୍ୱିକ ପରିସ୍ଥିତି ଉପରେ ନଜର ରଖିବାକୁ ସତର୍କ କରାଇଛି ବିଦେଶ ମନ୍ତ୍ରାଳୟ ।

ଜୱାହିରି ପେଶାରେ ଜଣେ ସର୍ଜନ ଥିଲା । ମାତ୍ର ୧୪ ବର୍ଷ ବୟସରେ ମୁସଲିମ ବ୍ରଦରହୁଡ ସଙ୍ଗଠନରେ ସାମିଲ ହୋଇଥିବା ଜୱାହିରି ପରେ ଇଆଇଜେ ଗଠନ କରିଥିଲା । ୧୯୭୦ରେ ମିଶର ସରକାର ବିରୋଧରେ ମୋର୍ଚ୍ଚା ଖୋଲିଥିଲା ଜୱାହିରି । ୧୯୮୧ରେ ମିଶରର ରାଷ୍ଟ୍ରପତିଙ୍କ ହତ୍ୟା ପରେ ଜୱାହିରିଙ୍କୁ ଗିରଫ କରାଯାଇ ଅକଥନୀୟ ଅତ୍ୟାଚାର ଦିଆଯାଇଥିଲା । ୩ ବର୍ଷ ଜେଲରେ କାଟିବା ପରେ ଜୱାହିରି ସାଉଦି ଆରବ ଚାଲି ଯାଇଥିଲେ । ଆଉ ସେଠାରେ ମେଡିକାଲ ପ୍ରାକ୍ଟିସ ଆରମ୍ଭ କରିଥିଲେ । ସାଉଦି ଆରବରେ ହିଁ ଜୱାହିରିର ଭେଟଘାଟ ଆଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ସହ ହୋଇଥିଲା । ଆଉ ଏହିଠାରେ ହିଁ ଉଭୟ ପରସ୍ପରର ଅତ୍ୟଧିକ ଘନିଷ୍ଠ ହୋଇଥିଲେ । ପରେ ବିଶ୍ୱର ମହାଶକ୍ତି କୁହାଯାଉଥିବା ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ରଚିଥିଲେ ଷଡଯନ୍ତ୍ର । ଯେଉଁଥିରେ ଉଭୟ ସଫଳ ମଧ୍ୟ ହୋଇଥିଲେ । ଲାଡେନର ମୃତ୍ୟୁ ପରେ ଜୱାହିରି ଅଲ-କାଏଦା ସଙ୍ଗଠନର ମଙ୍ଗ ନିଜେ ଧରିଥିଲା । ଏପରିକି ବିଶ୍ୱର ବିଭିନ୍ନ ସ୍ଥାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଜୱାହିରି ଥିଲା ମାଷ୍ଟରମାଇଣ୍ଡ ।