ପ୍ରଥମ ଥର ପାଇଁ ନାବେଟ୍‍ କ୍ୟୁସିଆଇ ରାଙ୍କି । କିଟ୍‍ ପଲିଟେକନିକ୍ ରାଜ୍ୟରେ ପ୍ରଥମ

100

କନକ ବ୍ୟୁରୋ: କ୍ୟୁସିଆଇ ନାବେଟ ରାଙ୍କିରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି । ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଗୁଣାତ୍ମକ ପଲିଟେକନିକ୍ ଶିକ୍ଷାନୁଷ୍ଠାନଗୁଡ଼ିକୁ ବାଛିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ନେଇ ପ୍ରଥମ ଥର ଲାଗି ଉଦ୍ୟମ କରାଯାଇଛି । କ୍ୱାଲିଟି କାଉନସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସନାଲ୍‍ ଆକ୍ରିଡିଟେସନ୍‍ ବୋର୍ଡ ଫର ଏଜୁକେସନ୍‍ ଆଣ୍ଡ ଟ୍ରେନିଂ (ନାବେଟ୍‍), ଷ୍ଟେଟ୍‍ କାଉନସିଲ୍‍ ଫର ଟେକ୍ନି୍କାଲ୍‍ ଏଜୁକେସନ୍‍ ଓ ଭୋକେସନାଲ୍‍ ଟ୍ରେନିଂ ପକ୍ଷରୁ ପ୍ରଥମ ଥର ଲାଗି ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପଲିଟେକନିକ୍ ଶିକ୍ଷାନୁଷ୍ଠାନର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ଏହି ରାଙ୍କି ପ୍ରଦାନ କରାଯାଇଛି ।

ଆଜି ଷ୍ଟେଟ୍‍ କାଉନସିଲ୍‍ ମୁଖ୍ୟାଳୟଠାରେ ରାଙ୍କିରେ ସ୍ଥାନ ପାଇଥିବା ଅନୁଷ୍ଠାନଗୁଡ଼ିକର ନାମ ଘୋଷଣା କରାଯାଇଥିଲା । ଗୌରବର ବିଷୟ କିଟ୍‍ ପଲିଟେକନିକ୍‍ ସମସ୍ତ ସରକାରୀ ଓ ବେସରକାରୀ ପଲିଟେକନିକ୍‍ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହି ଖବରରେ କିଟ୍‍ ପଲିଟେକନିକର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । କିଟ୍‍ ପଲିଟେକନିକ୍‍ ଏକ ବେସରକାରୀ ଅନୁଷ୍ଠାନ ହୋଇଥିବା ସତ୍ତ୍ୱେ ଉଭୟ ସରକାରୀ ଓ ବେସରକାରୀ ପଲିଟେକନିକ୍‍ ଅନୁଷ୍ଠାନକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିପାରିଛି ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‍ ପଲିଟେକନିକର ଅଧ୍ୟକ୍ଷ ଡ. ତନ୍ମୟ ମହାନ୍ତି, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା କେବଳ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସମ୍ଭବ ହୋଇଛି ବୋଲି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି । କିଟ୍‍ ପଲିଟେକନିକ ବାସ୍ତବିକ ଏକ ଉଚ୍ଚ ମାନର ପଲିଟେକନିକ୍‍ । ଏଠାରେ ଗୁଣାତ୍ମକ ଶିକ୍ଷା ସହିତ ଉଚ୍ଚଶକ୍ଷା ଓ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଁ ସର୍ବଦା ପ୍ରାଧାନ୍ୟ ଦିଆଯାଇଥାଏ । ଚଳିତ ବର୍ଷ କିଟ୍‍ ପଲିଟେକନିକକୁ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଁ ୪୦ରୁ ଅଧିକ କମ୍ପାନୀ ଆସିଥିବା ବେଳେ ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜରେ ନିଯୁକ୍ତି ସୁଯୋଗ ମିଳିଛି ।