ଉତ୍ତର ପ୍ରଦେଶ ହିଂସା: ଜୁନ ୧୭ରେ ନମାଜ ପୂର୍ବରୁ ପୋଲିସର ପ୍ରସ୍ତୁତି। ଧର୍ମଗୁରୁଙ୍କୁ ଶାନ୍ତି ପାଇଁ ଅନୁରୋଧ। 

99

କନକ ବ୍ୟୁରୋ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜୁନ ୧୦ରେ ନମାଜ ପରେ ହିଂସା ହୋଇଥିଲା । ଧିରେ ଧିରେ ସେହି ସ୍ଥାନରେ ପରିସ୍ଥିତି ସୁଧୁରିବାରେ ଲାଗିଛି । ତେବେ ଏହା ମଧ୍ୟରେ ଆସନ୍ତାକାଲି ସମୂହ ନମାଜର କାର୍ଯ୍ୟକ୍ରମ ରହିଛି । ତେବେ ଉତ୍ତରପ୍ରଦେଶ ପୋଲିସ ଏହାକୁ ନେଇ ପ୍ରସ୍ତୁତ ରହିଛି । ଜୁନ ୧୭ର ଏହି ନମାଜ ପାଠକୁ ନେଇ ପୋଲିସ ଆଗରେ ଚ୍ୟାଲେଞ୍ଜ ରହିଛି । ସହରର ମାହୋଲ ଖରାପ ନହେବା ପାଇଁ, କୌଣସି ପ୍ରକାର ହିଂସା ନହେବା ପାଇଁ ପୋଲିସ ଓ ପ୍ରଶାସନ ରଣନୀତି ପ୍ରସ୍ତୁତ କରିଛି ।

ଗତ ଜୁନ ୧୦ ତାରିଖରେ ନମାଜ ପରେ ପ୍ରୟାଗରାଜ, ସାହରନପୁର, ଫିରୋଜାବାଦ, ହାଥରସ, ମୁରାଦାବାଦ, ଆମ୍ବେଦକରନଗର, ଅଲିଗଡ, ଲକ୍ଷୀମପୁର ଖେରୀ, ଜାଲୌନରେ ହିଂସକ ପ୍ରଦର୍ଶନ ହୋଇଥିଲା । ଏଥିରେ ୧୩ ପୋଲିସ କର୍ମୀ ଆହତ ହୋଇଥିଲେ । ପୋଲିସ ବର୍ତ୍ତମାନ ସୁଦ୍ଧା ୩୫୭ ଉପଦ୍ରବୀଙ୍କୁ ଗିରଫ କରିସାରିଛି । ଜୁନ ୧୦ରେ ଅଟାଲାର ହିଂସା ହୋଇଥିଲା । ହିଂସା ସହ ପଥରମାଡ କରିଥିଲେ ଉପଦ୍ରବକାରୀ । ସେହି ଅଞ୍ଚଳରେ ପୋଲିସ, ପିଏସସି ଏବଂ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସମସ୍ତଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି ।

ଦଙ୍ଗାର ମୁକାବିଲା ପାଇଁ ରାଫିଡ ଆକ୍ସନ ଫୋର୍ସକୁ ଡେପୁଟି କମାଣ୍ଡାଣ୍ଟ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଫୋର୍ସର ସମସ୍ତ ଅଧିକାରୀଙ୍କୁ ଲଢେଇ କରିବା ପାଇଁ ମଲ୍ଟି ଲଞ୍ଚର ଉପକରଣ ଦିଆଯାଇଛି । ସମସ୍ତଙ୍କ ପାଖରେ ସୁରକ୍ଷା ଉପକରଣ ମହଜୁଦ ରହିଛି । ଏହା ସହ ପରିସ୍ଥିତି ସହ ଲଢେଇ କରିବାକୁ ନିର୍ଦ୍ଦେଶ ରହିଛି । ସେପଟେ ସିଟି ଏସପି ଦିନେଶ କୁମାର ସିଂହ ପୋଲିସ ଏବଂ ପିଏସସିର ଯବାନଙ୍କୁ ପ୍ରସ୍ତୁତ ରହିବା ସହ ମୁକାବିଲା ନେଇ ଅବଗତ କରାଇଛନ୍ତି । ନିଜ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଟାଲା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ମଧ୍ୟ ଜାରିରହିଛି । ସେହିଭଳି ଡ୍ରୋନ କ୍ୟାମେରା ମଧ୍ୟ ପ୍ରସ୍ତୁତ ରହିଥିବା ମଧ୍ୟ ସୂଚନା ମିଳିଛି ।

ଜୁନ ୧୭ରେ ହେବାକୁ ଥିବା ନମାଜ ପୂର୍ବରୁ ଇମାମମାନଙ୍କୁ ଶାନ୍ତି ପାଇଁ ଅପିଲ ହୋଇଛି । ନମାଜ ପରେ ହିଂସା ବା ଅନ୍ୟ କୌଣସି ପ୍ରକାର ଅବ୍ୟବସ୍ଥା ନକରିବା ପାଇଁ ଅନୁରୋଧ ହୋଇଛି । ଲୋକେ ନିଜ ଘରେ କିମ୍ବା ଘର ପାଖ ମସଜିଦରେ ନମାଜ ପାଠ କରିବାକୁ ଅନୁରୋଧ କରାଯାଇଛି । ପୋଲିସ ମଧ୍ୟ ବିଭିନ୍ନ ମସଜିଦରେ ନମାଜକୁ ନେଇ ସତର୍କ ରହିଛି ।