ପ୍ଲାଷ୍ଟିକ ବୋଝ ମୁଣ୍ଡେଇ ପିଲାକୁ ବଡ କରୁଛି ମାଆ । ନିଜେ ସଙ୍ଘର୍ଷ କରି ପିଲାକୁ ସାହେବ କରିବାକୁ ସ୍ୱପ୍ନ ଦେଖୁଛି…

378

କନକ ବ୍ୟୁରୋ: ମୋ ବୋଉ ମୋ ପାଇଁ ବଡଯୋଦ୍ଧା । ସେ ମୋ ସାହସ, ମୋ ଶକ୍ତି, ମୋ ପ୍ରେରଣାର ଜୀବନ୍ତ ପିଣ୍ଡୁଳା । ଯିଏ ରାଜଧାନୀର ଗଳିଗଳି ବୁଲାଇ ମତେ ଜୀବନ ଜିଇଁବାର ବର୍ଣ୍ଣବୋଧ ପଢାଏ । ଆଗକୁ ଆଗେଇବାର ଅ ଆ ଶିଖାଏ । ଖରା ହେଉ କି ବର୍ଷା । ମାଆର ଆଙ୍ଗୁଠି ଧରି ମୁଁ ସାରା ସହର ବୁଲେ, ରାଜଧାନୀ ଛାତିରେ ଚାଲେ । ମୁଁ ଥକିପଡେ ହେଲେ ଥକେନି ମାଆ । ଦୁନିଆର ସବୁମାଆ କାଳେ ଜଣେ ଜଣେ ମଣିଷରୂପୀ ମେସିନ । ସେମାନେ କେବେ ଥକନ୍ତିନି । ବରଂ ଚାଲୁଚାଲୁ ଥକିପଡୁଥିବା ପିଲାର ଦେହକୁ ଆଉଁଶି ଦେଇ ତାକୁ ଉଠି ଚାଲିବାକୁ ସାହସ ଦିଅନ୍ତି, ଆଉ କୁହନ୍ତି , ଧନରେ ଏବେଠୁ ଥକିପଡିଲେ, ଜୀବନରେ ଏତେ ରାସ୍ତା ଚାଲିବୁ କେମିତି ? ବଞ୍ଚିବାର ବାଟ ପାଇବୁ କେମିତି? ଉଠ୍ ଚାଲ, ଥକିଯିବା ମାନେ ଜୀବନ ନୁହେଁ…

ଇଏ ହେଉଛି ମାଆ… ଯିଏ ମୁଣ୍ଡରେ ପ୍ଲାଷ୍ଟିକ, ପଲିଥିନର ବୋଝ ମୁଣ୍ଡାଇ ପୁଅର ପେଟକୁ ଦାନା ଦିଏ, ନିଜେ ଟେକି ପାରୁନଥିବା ପୁଟୁଳି ମୁଣ୍ଡାଇ ପିଲାକୁ ପରିସ୍ଥିତି ଆଗରେ ମୁଣ୍ଡ ନନୁଆଁବାକୁ କୁହେ । ସହରର ଗଳି କନ୍ଦିରେ ବୁଲି ବୁଲି, ଅଳିଆ ଗଦାରୁ ବୋତଲ ଗୋଡାଇବା ବେଳେ ସାଥିରେ ଥିବା ପୁଅକୁ ବଡ ହେବାର ସ୍ୱପ୍ନ ଦେଖାଏ । ନିଜେ ନଖାଇ ପିଲାକୁ ଖୁଆଏ, ବାବୁ ଘରୁ ମାଗିଯାଚି ଆଣିଥିବା ପୁରୁଣା, ଚିରା ଜାମାରେ କୁନି ଝିଅର ନଗ୍ନତା ଲୁଚାଏ । ଯେବେଯେବେ ପରର ପାଇଟି କରି କ୍ଲାନ୍ତ ଅପରାହ୍ନରେ ନିରାଶା ନେଇ ଫେରେ ମାଆ । ସେବେ ପିଲାର ଭୋକିଲା ପେଟକୁ ଖାଦ୍ୟ ବଦଳରେ, ରାସ୍ତାରୁ ଗୋଟାଇ ଆଣିଥିବା ମିନେରାଲ ୱାଟର ବଟଲରେ ଟ୍ୟାପପାଣି ପିଆଇ ଦେଇ ମାଆ କୁହେ; ମୁଁ ସିନା ପରିସ୍ଥିତିରେ ପଡି ପଲିଥିନର ଏ ବୋଝ ବହୁଛି, ତୁ କିନ୍ତୁ ଏ ପରିସ୍ଥିତିର ଚକ୍ରବ୍ୟୁହରୁ ବାହାରି ବଡମଣିଷ ହେବୁ । ମୋ ପରି ରାସ୍ତା କଡରେ ନୁହେଁ ଭଲ ଘରେ ରହିବୁ । ଏ ସ୍ୱାର୍ଥର ସହରରେ ଆମକୁ ସିନା କେହି ସାହା ହେବାକୁ କେହି ନାହାନ୍ତି ତୁ କିନ୍ତୁ ସମସ୍ତଙ୍କ ସାହାରା ସାଜିବୁ…

ରାଜଧାନୀର ତତଲା ରାଜପଥରେ ପିଲାକୁ ଚଟି ଚପଲଟିଏ ପିନ୍ଧାଇ ଚଲେଇ ଚଲେଇ ନେଲାବେଳେ ଜୀବନର ଶିକ୍ଷା ଦେଉଛି ଜଣେ ମାଆ । ପିଲାର ପେଟ କଥା ବୁଝି ପରିଚୟ ଖୋଜୁଥିବା ମା’ ପୁଅକୁ କହୁଥିବ, ଧନରେ ସ୍ମାର୍ଟସିଟିରେ ମୁଁ ସିନା ସଙ୍ଘର୍ଷ କରୁଛି, ତୁ କିନ୍ତୁ ସମ୍ମାନ ସାଉଣ୍ଟିବୁ । ବଡ଼ ବଡ଼ କୋଠା ତଳୁ ଆମ ପେଟ ପାଇଁ ମୁଁ ପ୍ଲାଷ୍ଟିକ୍ ଗୋଟାଉଛି ତୁ କିନ୍ତୁ ଏମିତିକା କୋଠାଟିଏ ତୋଳିବୁ । ରାଜଧାନୀ ରାସ୍ତା କଡ଼ରେ ଖାଲି ପାଦରେ ମୁଁ ସିନା ଚାଲୁଛି ତୁ କିନ୍ତୁ ସୁଟ୍ ବୁଟ୍ ପିନ୍ଧି ବାବୁ ପାଲଟିବୁ । ଚକମକ ଆଲୁଅ ଭିତରୁ ଆଶାର ଆଲୋକ ହୋଇ ମୋ ଆଖିର ତାରା ସାଜିବୁ । ମୋ ଧନଟା ପରା ପ୍ଲାଷ୍ଟିକବାଲୀର ପିଲା ନୁହେଁ ତୋ ପରିଚୟରେ ମୋତେ ପରିଚିତ କରାଇବୁ, ମୋତେ ଖୁସି ଆଣି ଦେବୁ…