ୟୁପି ପୁଲିସର ମଣିଷପଣିଆ : ଦୁଇ କୁନି ଦୀପ ବିକାଳୀଙ୍କୁ ଦୀପାବଳୀ ପାଳିବାରେ ଏମିତି କଲେ ସହାୟତା, ଜାଣନ୍ତୁ 

“ଆମେ ଦୀପ ବିକୁଛୁ, କିନ୍ତୁ କେହି କିଣୁ ନାହାନ୍ତି” ବୋଲି ଶୁଣିବା ପରେ ଏଭଳି କାମ କଲେ ପୁଲିସକର୍ମୀ

669

କିଛି ଦିନ ତଳେ ଉତ୍ତରପ୍ରଦେଶରେ ଘଟିଥିବା ଘଟଣା ପୁଲିସର ଛବିକୁ ବଦଳାଇବାର ପ୍ରୟାସ କରିଛି । ସାଧାରଣ ଲୋକେ ପୁଲିସକୁ ଘୃଣା ଦୃଷ୍ଟିରେ ଦେଖୁଥିବା ବେଳେ ଏବେ ଉତ୍ତରପ୍ରଦେଶର କିଛି ପୁଲିସ କର୍ମଚାରୀ କରିଥିବା କାମକୁ ନେଇ ଲୋକମାନଙ୍କର ଚିନ୍ତାଧାରା ବଦଳିବ ବୋଲି ଆଶା କରାଯାଉଛି । ଦୀପାବଳି ଅବସରରେ କେମିତି କିଛି ପୁଲିସକର୍ମୀ ଦୁଇ କୁନି ଦୀପ ବିକାଳିଙ୍କୁ ଦୀପ ବିକିବାରେ ସାହାଯ୍ୟ କରିଥିଲେ ତାହା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଦୀପାବଳି ଅବସରରେ ଅନେକ ଲୋକ ନିଜ ନିଜର ଦୋକାନ ଲଗାଇଥିବା ବେଳେ କିଛି ପୁଲିସକର୍ମୀ ଆସି ତାଙ୍କୁ ଏକ ଲାଇନରେ ଦୋକାନ ଲଗାଇବା ପାଇଁ କହିଥିଲେ । ଏହି ସମୟରେ ମଝିରେ ବସି ଦୁଇ କୁନି ପିଲାଙ୍କୁ ଦୀପ ବିକ୍ରି କରୁଥିବାର ଦେଖି ସେମାନଙ୍କୁ ଏକ କଡ଼କୁ ବସିବା ପାଇଁ ପୁଲିସକର୍ମୀମାନେ କହିଥିଲେ । ଏହା ଶୁଣି ସେମାନେ କହିଥିଲେ, ‘ଆମେ ଦୀପ ବିକୁଛୁ ,କିନ୍ତୁ କେହି କିଣୁ ନାହାନ୍ତି । ଦୀପ ବିକ୍ରି ହେଲେ ସିନା ଆମେ ଦୀପାବଳି ପାଳନ କରିବୁ । ଏହି ସମୟରେ ଅନ୍ୟ ସ୍ଥାନକୁ ଯାଇ ଦୀପ ବିକିବା ସମ୍ଭବ ନୁହଁ ।’ ଏହା ଶୁଣି ଜଣେ ବରିଷ୍ଠ ପୁଲିସ ଅଧିକାରୀ ନୀରଜ କୁମାର ପିଲା ଦୁଇଜଣଙ୍କ ଠାରୁ ଦୀପ କିଣିବା ପାଇଁ ନିଜ ସହକର୍ମୀଙ୍କୁ ଅନୁରୋଧ କରିଥିଲେ।

ଦୀପ କିଣି ସାରିବାପରେ ପୁଲିସକର୍ମୀମାନେ ଆସୁଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ଦୀପ କିଣିବା ପାଇଁ କହିଥିଲେ । ପୁଲିସକର୍ମୀଙ୍କ କଥା ମାନି ଲୋକମାନେ ପିଲାଙ୍କ ଠାରୁ ଦୀପ କିଣିବା ଆରମ୍ଭ କରିଦେଇଥିଲେ । ଚାହୁଁ ଚାହୁଁ ଦୁଇ କୁନି ପିଲାଙ୍କର ସବୁ ଦୀପ ବିକ୍ରି ହୋଇ ଯାଇଥିଲା । ଯାହା ପରେ ଦୁହେଁ ଘରକୁ ବାହାରିଥିଲେ। ଯିବା ପୂର୍ବରୁ ବରିଷ୍ଠ ପୁଲିସ ଅଧିକାରୀ ନୀରଜ କୁମାର ଦୁଇ କୁନି ପିଲାଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲେ । ପୁଲିସକର୍ମୀଙ୍କ ଏହି ପ୍ରୟାସ ଦୁଇ କୁନି ପିଲାଙ୍କର ଦୀପାବଳିକୁ ଆଲୋକିତ କରି ପାରିଥିଲା । ଏହି ଖବର ପ୍ରସାର ହେବା ପରେ ପୁଲିସକର୍ମୀଙ୍କ ଏହି କାମକୁ ପ୍ରଶଂସା କରାଯାଉଛି ।