‘ଫୋନି’ ପ୍ରଭାବିତ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳ ବୁଲିଲେ କେନ୍ଦ୍ରମନ୍ତ୍ରୀ । କହିଲେ, ଘଡ଼ିସନ୍ଧି ସମୟରେ ଓଡ଼ିଶାକୁ ପୁଣି ଗଢ଼ିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ।

80

କନକ ବ୍ୟୁରୋ: ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ର ତାଣ୍ଡବରେ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଂଚଳ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫୋନି ପ୍ରଭାବରେ ୧୪ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ଫୋନିର ହୋଇଥିଲା ଲ୍ୟାଣ୍ଡଫଲ୍ । ଏପରି ଘଡିସନ୍ଧି ସମୟରେ ଓଡିଶାର ପୁନଃନିର୍ମାଣ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଫୋନି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ । ଘରଘର ବୁଲି ଲୋକମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ଏପରିକି ଏ ସମୟରେ ସମସ୍ତେ ଧର୍ଯ୍ୟ ଧରିବା ସହ ଏକାଠି ହୋଇ କାମ କରିବା ପାଇଁ ଅନୁରୋଧ କରିଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ଏହି ଗସ୍ତ ସମୟରେ ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବି ମାନଙ୍କ ସହ ମଧ୍ୟ କଥା ହୋଇଥିଲେ । ଡଙ୍ଗାପାର ହୋଇ ଦୁର୍ଗମ ମହିଷା ଓ ବ୍ରହ୍ମପୁର ଗ୍ରାମବାସୀଙ୍କୁ ଭେଟ କରିବା ସହ ସେମାନଙ୍କ କଥା ପଚାରି ବୁଝିଥିଲେ ।

ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ଯୁଦ୍ଧକାଳୀନ ଭିତିରେ ପୁନଃନିର୍ମାଣ କାମ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଓଡିଶାର ପୁନଃନିର୍ମାଣ କାର‌୍ୟ୍ୟରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗ ସହ ରାଜ୍ୟ ପ୍ରଶାସନର ସମନ୍ୱୟ ରହିବା ନେଇ ଉଭୟ ପକ୍ଷ ସହ ସେ ବାରମ୍ବାର ଆଲୋଚନା କରିଛନ୍ତି ।