ଆଇପିଏଲ୍ ଟକ୍କର । ଚେନ୍ନାଇ ଘରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇ ଫାଇନାଲକୁ ପ୍ରବେଶ କଲା ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ହାତରେ ରହିଛି ଆଉ ଏକ ସୁଯୋଗ ।

285

କନକ ବ୍ୟୁରୋ: ଆଇପିଏଲ୍ ପ୍ରଥମ କ୍ୱାଲିଫାୟର ମ୍ୟାଚରେ କମାଲ କଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରତିପକ୍ଷ ଦଳ ଚେନ୍ନାଇ ସୁପର କିଙ୍ଗସକୁ ୬ ୱିକେଟରେ ହରାଇ ଫାଇନଲକୁ ପ୍ରବେଶ କଲା ମୁମ୍ବାଇ ଇଣ୍ଡିଆନ୍ସ । ନିଜ ହୋମ ଗ୍ରାଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ହେଲେ ରୋହିତ୍ ବ୍ରିଗେଡ୍ ସାମ୍ନାରେ ୨୦ ଓଭର ଖେଳି ୪ ୱିକେଟ୍ ହରାଇ ମାତ୍ର ୧୩୧ ରନ୍ କରିବାରେ ସକ୍ଷମ ହୋଇଥିଲା ଧୋନୀ ବାହିନୀ । ଆଉ ମୁ୍ମ୍ବାଇ ସମ୍ନାରେ ୧୩୨ ରନର ବିଜୟ ଲକ୍ଷ ଦେଇଥଲା ।

ଅନ୍ୟପଟେ ଦ୍ୱିତୀୟ ପାଳିରେ ୧୩୨ ରନର ବିଜୟ ଲକ୍ଷ୍ୟ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସର କପ୍ତାନ ରୋହିତ୍ ଏବଂ କ୍ୱିଣ୍ଟନ୍ ଡିକକ୍ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ଓଭରର ପ୍ରଥମ ବଲରେ ଚୌକା ମାରିବା ପରେ ଚେନ୍ନାଇର ଦୀପକ ଚହରଙ୍କ ଦ୍ୱିତୀୟ ବଲରେ ନିଜର ୱିକେଟ୍ ହରାଇ ବସିଥିଲେ ରୋହିତ । ଏହାପରେ କ୍ୱିଣ୍ଟନ ଡ଼ିକକ୍ ମଧ୍ୟ ହରଭଜନ ସିଂଙ୍କ ଶିକାର ହୋଇ ପ୍ୟାଭିଲନକୁ ଫେରିଥିଲେ । ହେଲେ ବଡ଼ ମ୍ୟାଚରେ ସବୁଠାରୁ ଭଲ ପ୍ରଦର୍ଶନ କରିଆସିଥିବା ସୂର୍ଯ କୁମାର ଯାଦବ ପୁଣି ଚମକିଥିଲେ । ଆଉ ରକ୍ଷାଣାତ୍ମ ଢ଼ଙ୍ଗରେ ମାତ୍ର ୫୪ ବଲରେ ୭୧ ରନ୍ କରି ମୁମ୍ବାଇକୁ ବିଜୟ ଦ୍ୱାରା ପର୍ଯ୍ୟନ୍ତ ନେଇଥିଲେ । ଶେଷରେ ମୁମ୍ବାଇ ମାତ୍ର ୧୮ ଓଭର ୩ ବଲରେ ୧୩୨ ରନ୍ କରି ପ୍ରଥମ ଟିମ୍ ଭାବେ ଫାଇନାଲକୁ ଏଣ୍ଟ୍ରି କରିଛି ।

ସେପଟେ ଧୋନୀ ବାହିନୀର ଚେନ୍ନାଇ ଟିମ୍ ପରାଜୟ ହୋଇଥିଲେ ମଧ୍ୟ ପଏଣ୍ଟ ଟେବୁଲ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ତାଙ୍କୁ ଆଉ ଏକ ସୁଯୋଗ ମିଳିବ । କାରଣ ଆଜି ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚରେ ଦିଲ୍ଲି-ହାଇଦ୍ରାବାଦ ମଧ୍ୟରୁ ଯିଏ ବିଜୟ ହେବେ ସେମାନଙ୍କୁ ସାମ୍ନା କରିବ ଚେନ୍ନାଇ । ତେବେ ଆସନ୍ତା କାଲିର ହାଇ ଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି କ୍ରୀକେଟ୍ ପ୍ରେମୀ ।