ପୁରୀ ଓ ଖୋର୍ଦ୍ଧା ପରିସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧାରେ ଆଜିଠାରୁ ରିଲିଫ୍ ବଣ୍ଟନ କରିବାକୁ ନିର୍ଦ୍ଦେଶ ।

105

କନକ ବ୍ୟୁରୋ: ‘ଫୋନି’ରେ ପ୍ରଭାବିତ ହୋଇଥିବା ପୁରୀ ଓ ଖୋର୍ଦ୍ଧା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ପୁନଃରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସଚିବାଳୟରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଜିଲ୍ଲା ମାନଙ୍କରେ ବିଜୁଳୀ ଓ ଜଳଯୋଗାଣ ପରିସ୍ଥିତି ଏବଂ ରିଲିଫ୍ ଯୋଗାଣ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବୈଠକରେ ନିଷ୍ପତି ହୋଇଛି ଯେ, ଖୋର୍ଦ୍ଧା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନେରେ ଆଜିଠାରୁ ରିଲିଫ୍ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଗତକାଲି ଭୁବନେଶ୍ୱରରେ ରିଲିଫ୍ ଓ ସହାୟତା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ତେଣୁ ଖୋର୍ଦ୍ଧା ଜିଲ୍ଲାରେ ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଆଜିଠାରୁ ରିଲିଫ୍ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଉଭୟ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରାୟତଃ ସ୍ୱାଭାବିକ ହୋଇଛି । ପୁରୀ ଜିଲ୍ଲାର ୯୦ ପ୍ରତିଶତ ଗାଁକୁ ପଞ୍ଚାୟତରୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ହୋଇଯାଇଛି । ବିଜୁଳୀ ଓ ଟେଲି ଯୋଗଯୋଗା ପରି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟେଲି ଯୋଗାଯୋଗରେ ବ୍ୟାପକ ଅସୁବିଧା ହେଉଥିବାରୁ ପୁରୀ ସହରରେ ମୋବାଇଲ ଟାୱାର ଅନ ହ୍ୱିଲ୍ ଜରିଆରେ ଟେଲି ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଛି ।