ଏମ୍ସ ସମାବର୍ତନ ଉତ୍ସବରେ ସାମିଲ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ

254

କନକ ବ୍ୟୁରୋ: ଏମ୍ସ ସମାବର୍ତନ ଉତ୍ସବରେ ଗୋଟିଏ କି ଦୁଇଟା ନୁହେଁ ଏକାଥରକେ ଛଅ ଛଅଟି ମେଡାଲ ପାଇଛନ୍ତି ଡ. ଅନୀଲ କୁମାର ଦାଶ । ବାଲିଅନ୍ତାର ଏକ ଛୋଟ ଗାଁରୁ ଆସି ସେ ଏହି ସଫଳତା ପାଇଛନ୍ତି । ଏଥିପାଇଁ ସେ ପରିବାର ସମେତ ଏମ୍ସ ଓ ନିଜ ସହଯୋଗୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ କହିବା କଥା ହେଲା, ଡାକ୍ତରୀ ପାଠପଢିବା ପାଇଁ ଟଙ୍କାଠୁ ଅଧିକ ଗଭୀକ ଅଧ୍ୟବସାୟର ଆବଶ୍ୟକତା ରହିଛି । ଏକାଗ୍ରତା ଓ ଲକ୍ଷ୍ୟ ଥିଲେ ସବୁ ସଫଳତା ମିଳିବ ବୋଲି ଡଃ ଅନୀଲ କୁମାର ଦାସ କହିଛନ୍ତି ।

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଭୁବନେଶ୍ୱର ଏମ୍ସର ୪ର୍ଥ ସମାବର୍ତନ ଉତ୍ସବରେ ଯୋଗଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ଓଡିଶାର କିଛି ସାଂସଦ ତାଙ୍କୁ ଭେଟିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ସେ ଜଣାଇଛନ୍ତି । ଏମ୍ସର ଚତୁର୍ଥ ସମାବର୍ତନ ଉତ୍ସବରେ ୨୯୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ ସହ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହାସହ ଅତ୍ୟାଧୁନିକ ବର୍ଣ୍ଣ ସେଂଟର ଉଦଘାଟନ ଓ କ୍ରିଟିକାଲ କେୟାର ହସପିଟାଲ ବିଲ୍ଡିଂର ଭିତିପ୍ରସ୍ତର ରଖାଯାଇଛି । ଏନଟିପିସି ସହାୟତାରେ ବର୍ଣ୍ଣ ସେଂଟର ତିଆରି ପାଇଁ ଖର୍ଚ୍ଚ ହୋଇଛି ୧୯ କୋଟି ୮୭ ଲକ୍ଷ । ଏଠାରେ ୬ଟି ଆଇସିୟୁ ସହିତ, ୬ କ୍ୟାବିନ ଓ ୩୬ଟି ବେଡ ଅଛି । ସରକାରୀ ବ୍ୟବସ୍ଥାରେ ପ୍ରଥମ କୁହାଯାଉଥିବା ଏହି ଅତ୍ୟାଧୁନିକ ବର୍ଣ୍ଣର୍ ସେଂଟର ଓଡିଶା ସମେତ ପଡୋଶୀ ରାଜ୍ୟର ପୋଡାଜଳା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେବ । ଏହି ସମାବର୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ଓ ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ ।